Odia News Portal

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ ଭୁବନେଶ୍ୱର ଆସନରୁ ଅପରାଜିତା ଟିକେଟ ପାଇବା ପରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ଲିଙ୍ଗରାଜ ମନ୍ଦିର ସେବାୟତ ତାଙ୍କୁ ବିରୋଧ କରିଥିଲେ।

ଲିଙ୍ଗରାଜ ମନ୍ଦିର ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏପରିକି ସେବାୟତଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ଆଇନକୁ କାହିଁକି ସେ ବିରୋଧ କରୁଛନ୍ତି ବୋଲି କେତେଜଣ ସେବାୟତ ଗଣମାଧ୍ୟମ ଆଗରେ କହିଥିଲେ।
ସେପଟେ ବେଗୁନିଆ ନିର୍ବାଚନମଣ୍ଡଳୀର ଭାଜପାର ଏକ ଗୋଷ୍ଠୀ କ୍ରମାଗତଭାବେ ଅପରାଜିତାଙ୍କୁ ବିରୋଧ କରିଆସୁଛନ୍ତି। ଗତ ବୁଧବାର ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମା’ବରମୂଳେଇ ପୀଠଠାରେ ବେଗୁନିଆ ଓ ବୋଲଗଡ଼ ବ୍ଲକ ପୁରୁଣା କର୍ମୀ ଏକାଠି ହୋଇଥିଲେ। ଅପରାଜିତା ହଟାଅ, ଭାଜପା ବଞ୍ଚାଅ ବୋଲି ନାରା ଦେଇଥିଲେ। ସଞ୍ଜୟ ଛୁଆଳସିଂଙ୍କ ସଭାପତିତ୍ୱରେ ଧ୍ରୁବଚରଣ ବାହିନୀପତି, ଗୌର ଚରଣ ପ୍ରହରାଜ, ରମେଶ ଚନ୍ଦ୍ର ସାମନ୍ତରାୟ, ହେମନ୍ତ ମାନସିଂ, ନରସିଂହ ସୁନ୍ଦରାୟ, ବିଦ୍ୟାଧର ରାଉତରାୟ, ସନ୍ତୋଷ ବେହେରା, ପ୍ରମୋଦ ରାଉତରାୟ, ଭଗବାନ ପ୍ରଧାନ, ସୁବାସ ସେଠୀ, ଶିବାନନ୍ଦ ମହାନ୍ତଙ୍କ ସମେତ ଏକାଧିକ କର୍ମୀ ଏକାଠି ହୋଇ ଅପରାଜିତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀଭାବେ ନିର୍ବାଚିତ କରିବା ପାଇଁ ମା’ଙ୍କ ନିକଟରେ ସଙ୍କଳ୍ପ ନେଇଥିଲେ। ଅପରାଜିତାଙ୍କ ଦଳ ବିରୋଧୀ, ଏକଚ୍ଛତ୍ରବାଦ, କର୍ମୀ ବିରୋଧୀ ଅପରାଜିତାଙ୍କୁ ହଟାଅ, ଭାଜପା ବଞ୍ଚାଅ ବୋଲି ଆହ୍ବାନ ଦେଇଛନ୍ତି। ଅପରାଜିତାଙ୍କ ବିରୋଧରେ ବେଗୁନିଆ ଓ ବୋଲଗଡ ବ୍ଲକର ସମସ୍ତ ପଞ୍ଚାୟତର ପ୍ରତି ଘରକୁ ବୁଲି ପ୍ରଚାର କରାଯିବ। ନୋଟାରେ ଭୋଟ ଦେବୁ ପଛେ ଅପରାଜିତାଙ୍କୁ ନୁହଁ ବୋଲି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଏମ୍‌ପି ଅପରାଜିତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।