Odia News Portal

ପଦମପୁରରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ବିଜେପି ଉପରେ ପ୍ରବଳ ବର୍ଷିଲେ, କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ବରଗଡ଼ ଜିଲ୍ଲା ପଦମପୁରରେ ଆଜି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେପି ଉପରେ ବର୍ଷିଛନ୍ତି ପାଣ୍ଡିଆନ । ବିଶେଷ କରି ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ସମାଲୋଚନା କରିଛନ୍ତି । ପଦମପୁରବାସୀ ବିକାଶ ବିରୋଧୀଙ୍କୁ ମୁହଁତୋଡ ଜବାବ ଦିଅନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଥିଲେ ଯେ, ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଗଲା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।‌ କୋର୍ଟରେ କେସ୍‌ କରି ଆପଣମାନଙ୍କ ହକ୍‌କୁ ଛଡାଇନେବାକୁ ଚେଷ୍ଟା କରାଯାଉଛ । କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ । ନବୀନ ସରକାର ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବେ ବୋଲି ପାଣ୍ଡିଆନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆସି ଏଠାରେ କହିଲେ ଯେ, ଏକ୍‌ସପ୍ରେସ୍‌ର ଟ୍ରେନର ସୁବିଧା ଦେବେ, ରେଲୱେ ଷ୍ଟେସନ କରିବେ । ତେବେ ତାଙ୍କୁ ପଚାରନ୍ତୁ ପଦମପୁରରେ କେଉଁଠି ରେଲୱେ ଜଙ୍କସନ୍‌ ଅଛି, କୋଉଠି ଟ୍ରେନ୍‌ ଯିବ, ଷ୍ଟେସନ ହେବ । ଚାଷୀମାନଙ୍କ ଫସଲ ବୀମା ପାଇଁ କେନ୍ଦ୍ର ସରକାର ପ୍ରିମିଅମ ମାଗୁଛି । ନବୀନ ସରକାର ଚାଷୀଙ୍କ ପାଇଁ ପ୍ରିମିଅମ ଦେଇ ଆପଣମାନଙ୍କ ବୋଝ ହାଲ୍‌କା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଫସଲ ବୀମାକୁ ସରଳ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଚାଷୀଙ୍କ ପାଇଁ ବହୁତ କୁମ୍ଭୀର କାନ୍ଦଣା କାନ୍ଦିଲେ, କିନ୍ତୁ କିଛି କଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପାଣ୍ଡିଆନ ।
କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଜିଏସଟି ଉଠାଇବାକୁ ନବୀନ ବାବୁ ବହୁତ ଥର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । କିନ୍ତୁ ସେମାନେ ଉଠାଇଲେ ନାହିଁ, ନବୀନ ବାବୁ କିନ୍ତୁ କେନ୍ଦୁପତ୍ର ଉପରେ ଜିଏସଟି ଉଠାଇଦେଲେ । ବୋନସ ମଧ୍ୟ ୨୫ ରୁ ବଢାଇ ୫୦ ପ୍ରତିଶତ କଲେ, ସାରା ଦେଶରେ କେନ୍ଦୁପତ୍ର ତୋଳାଳି ମାନଙ୍କୁ ସବୁଠାରୁ ଅଧିକ ବୋନସ ନବୀନ ସରକାର ଦେଉଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ମା’ ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଗୋଟିଏ ଗରିବ ଲୋକ ଜରିଆରେ ସୁପ୍ରିମ କୋର୍ଟରେ କେସ୍‌ କଲେ । ସେଠାରେ ସୁପ୍ରିମକୋର୍ଟ ଓକିଲଙ୍କ ଫିସ୍‌ ହେଉଛି ୩୦ ଲକ୍ଷ ଟଙ୍କା । ଏ ଚକ୍ରାନ୍ତ କିଏ କରିଥିଲା ଲୋକେ ତାହା ଜାଣନ୍ତୁ ବୋଲି ପାଣ୍ଡିଆନ କହିଥିଲେ। ନବୀନ ବାବୁ ସୁପ୍ରିମ କୋର୍ଟରେ ଲଢି ପ୍ରକଳ୍ପ କଲେ ବୋଲି ପାଣ୍ଡିଆନ କହିଛନ୍ତି ‌। ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ପାଇଁ ସେମାନେ ହାଇକୋର୍ଟ ସୁପ୍ରିମକୋର୍ଟ ସବୁଠି କେସ୍‌ କରିଛନ୍ତି, କିନ୍ତୁ ସଫଳ ହେଲେନି । ସେ କହିଥିଲେ ଯେ, ବିଜୁ ଏକ୍‌ସପ୍ରେସ ୱେ ଯୋଗୁ ସବୁଠାରୁ ଅଧିକ ଲାଭ ପାଇବ ପଦମପୁର ସବ୍‌ଡିଭିଜନ ।

ପଡୋଶୀ ଛତିଶଗଡରେ ଆଜି ପର୍ଯ୍ୟନ୍ତ ନକ୍‌ସଲ ସମସ୍ୟା ଅଛି, ଡବଲ ଇଞ୍ଜିନ ସରକାର କିଛି କରିପାରୁନି । ଏବେ ବି ଅଶାନ୍ତ । କିନ୍ତୁ ଓଡିଶାରେ ନବୀନ ଇଞ୍ଜିନ ସରକାର ବିକାଶ ଜରିଆରେ ନକ୍‌ସଲ ସମସ୍ୟା ଦୂର କରିଛନ୍ତି, ଓଡିଶାରେ ଶାନ୍ତି ଅଛି । ନବୀନ ସରକାର ପ୍ରତି ପଞ୍ଚାୟତକୁ କୋଟିଏ ଟଙ୍କା ଲେଖାଏ ଦେଉଛନ୍ତି, ସାରା ଭାରତରେ ପଞ୍ଚାୟତକୁ ସବୁଠାରୁ ଅଧିକ ଟଙ୍କା ଦେଉଛନ୍ତି ନବୀନ ସରକାର ।

ବିକାଶର ହିସାବ ଦେଇଛନ୍ତି ପାଣ୍ଡିଆନ । ପାଇକମାଳ ଏନ୍ଏସି ହେଲା । ପିଏଚସିକୁ ସିଏଚସି କରାଗଲା । ଦୁଇ ଭଉଣୀ ପରିଣୀତା ମିଶ୍ର ଲୋକସଭା ଓ ବର୍ଷାସିଂ ବରିହା ବିଧାନସଭା ପାଇଁ ଛିଡା ହୋଇଛନ୍ତି । ସେମାନେ ଲୋକଙ୍କ ସେବା ପାଇଁ ଆସିଛନ୍ତି । ଡବଲ ଶଙ୍ଖରେ ଭୋଟ ଦେଇ ସେମାନଙ୍କୁ ଜିତାଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ।