Odia News Portal

ପାକିସ୍ତାନରେ ହେବ ଏସିଆ କପ୍‌ ୨୦୨୩: ଟିମ୍‌ ଇଣ୍ଡିଆ ଗସ୍ତ ପାଇଁ BCCIର ଗ୍ରୀନ୍‌ ସିଗନାଲ୍, ଅନୁମତି ଦେବ ତ କେନ୍ଦ୍ର?

ପାକିସ୍ତାନ ଗସ୍ତ କରିବ ଟିମ୍‌ ଇଣ୍ଡିଆ! ୨୦୦୮ ମସିହାରୁ ବର୍ତ୍ତମାନ ସୁଦ୍ଧା ଯାହା ସମ୍ଭବ ହୋଇପାରିନାହିଁ ତାହା ପୁଣି ସମ୍ଭବ ହେବ! ଏକାଠି ହେବେ କ୍ରିକେଟର ଦୁଇ ମହା ଧ୍ରୁମ! ଏଭଳି କିଛି ଖବର ଏବେ ଚର୍ଚ୍ଚା ହେଉଛି । ହେବା ବି ସ୍ବାଭାବିକ । କାରଣ ଏଭଳି ସଙ୍କେତ ଦେଇଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଆସନ୍ତା ୨୦୨୩ରେ ପାକିସ୍ତାନରେ ଆୟୋଜିତ ହେବ ଏସିଆ କପ୍‌ । ଆସନ୍ତା ଅକ୍ଟୋବର ୧୮ରେ ହେବାକୁ ଥିବା ବାର୍ଷିକ ସାଧାରଣ ବୈଠକରେ ଏ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।

ସୂଚନାଯୋଗ୍ୟ, ରାଜନୈତିକ ମାହୋଲ ଏବଂ ସୁରକ୍ଷା କାରଣରୁ ୧୪ ବର୍ଷ ହେଲା ପାକିସ୍ତାନ ଯାଇ ନାହିଁ ଭାରତ । କେବଳ ଭାରତ ନୁହେଁ ପାକିସ୍ତାନ ମଧ୍ୟ ଭାରତ ଆସି ନାହିଁ । ଦୁଇ ଦେଶ ମଧ୍ୟରେ ନା କୌଣସି ଦ୍ବିପାକ୍ଷିକ ସିରିଜ ଖେଳାଯାଇଛି ନା ହିଁ ଆଇପିଏଲ୍‌ ଲିଗରେ କୌଣସି ପାକିସ୍ତାନୀ ଖେଳାଳି ଭାଗ ନେଉଛନ୍ତି । କେବଳ ଆଇସିସି ଦ୍ବାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ପାକିସ୍ତାନ ।

ତେବେ ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଯଦିଓ ବିସିସିଆଇ ଚାହୁଁଥାଇପାରେ ପାକିସ୍ତାନ ଗସ୍ତ କରିବା ପାଇଁ କିନ୍ତୁ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନିତାନ୍ତ ଆବଶ୍ୟକ । ଏଥିପାଇଁ ସରକାରଙ୍କୁ ମନାଇବାକୁ ଚେଷ୍ଟା କରିବ ବିସିସିଆଇ । ତେବେ ଏହା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ, ବିସିସିଆଇ ସମ୍ପାଦକ ଜୟ ଶାହ ଏବେ ଏସିୟାନ୍‌ କ୍ରିକେଟ୍‌ କାଉନସିଲ (ଏସିସି)ର ମଧ୍ୟ ସଭାପତି ଅଛନ୍ତି ।

ଯଦି ସରକାରଙ୍କ ନିକଟରୁ ସବୁଜ ସଙ୍କେତ ନମିଳେ ତେବେ ଆଉ ବିକଳ୍ପ କିଛି ଅଛି କି? ଏହାର ପ୍ରଶ୍ନରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଏସିଆ କପ୍‌ ଭଳି ମେଗା ଇଭେଣ୍ଟରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବା ନିଶ୍ଚିତ । ପାକିସ୍ତାନରେ ଆୟୋଜିତ ହେଉଥିବାରୁ ଭାରତ ଯିବ କି ନାହିଁ ତାହା ବି ସନ୍ଦେହରେ । ତେଣୁ ବିକଳ୍ପ ରାସ୍ତା ହେଉଛି ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟକୁ ୟୁଏଇ ସ୍ଥାନାନ୍ତର କରିବା । ଚଳିତ ବର୍ଷ ଯେଉଁଭଳି ୟୁଏଇରେ ଏସିଆ କପ୍‌ ଆୟୋଜନ କରାଯାଇଥିଲା ସେଭଳି କରିବାକୁ ହେବ ।

ସୂଚନା ଥାଉକି, ଶେଷ ଥର ପାଇଁ ୨୦୦୮ରେ ପାକିସ୍ତାନ ଗସ୍ତ କରିଥିଲା ଟିମ୍‌ ଇଣ୍ଡିଆ । ସେହିବର୍ଷ ଏସିଆ କପରେ ଧୋନୀଙ୍କ ନେତୃତ୍ବାଧୀନ ଭାରତ ରନର୍ସ ଅପ୍‌ ହୋଇଥିଲା । ସେହିଭଳି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ୨୦୧୩ରେ ଶେଷ ଥର ପାଇଁ ଖେଳାଯାଇଥିଲା । ସେବେ ଠାରୁ କେବଳ ଆଇସିସି ଉଭେଣ୍ଟ ବ୍ୟତିତ ଉଭୟ ଟିମ୍‌ ମଧ୍ୟରେ କୌଣସି ମୁକାବିଲା ହୋଇନାହିଁ । ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ କିନ୍ତୁ ସାମ୍ନାସାମ୍ନୀ ହେବେ ଭାରତ ଏବଂ ପାକିସ୍ତାନ ଯାହାକି ଅକ୍ଟୋବର ୨୩ରେ ଖେଳାଯିବ ।