Odia News Portal

ବିଜେଡ଼ି ଛାଡ଼ିଲେ ମହତାବ

ବିଜୁ ଜନତା ଦଳକୁ ବାଏବାଏ କରିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ  । ଏନେଇ ସେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି  । ବିଜୁ ଜନତା ଦଳ ଗଠନ ଦିନଠାରୁ ସେ ଦଳରେ ଥିବାବେଳେ ଆଜି ବିଜେଡ଼ିର ପ୍ରାଥମିକ ସଦସ୍ୟ ପତ୍ରରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି  ।
ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିଯେ, ସେ ୧୯୯୭ରୁ ବିଜେଡ଼ିରେ ରହିଛନ୍ତି  । ବିଜେଡ଼ି ଗଠନ ବେଳେ ବି ତାଙ୍କର ଭୂମିକା ରହିଥିଲା  । କିନ୍ତୁ ଏବେ ଦଳର କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗୁନାହିଁ  । ଅନେକ ଦିନ ଧରି ସେ ଧୈର୍ଯ୍ୟ ଧରି ରହିଥିଲେ  । ଏବେ ଧୈର୍ଯ୍ୟର ସୀମା ଟପିଯାଇଛି  । ଭଗ୍ନ ହୃଦୟରେ ଦଳ ଛାଡ଼ିବାକୁ ସେ ନିଷ୍ପତି ନେଇଛନ୍ତି  । ସେ ଆଉ ଦଳର ବନ୍ଧନ ଭିତରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି  ।
ସେହିପରି ତାଙ୍କ ବିରୋଧରେ ଥିବା ମାମଲା ଓ ଚାର୍ଜଫ୍ରେମକୁ ନେଇ ମଧ୍ୟ ସେ ମତ ଦେଇଛନ୍ତି  । ସେ କହିଛନ୍ତିଯେ, ବିଜେଡ଼ି ସରକାର ବିଜେଡ଼ି ସାଂସଦଙ୍କ ବିରୋଧରେ ମାମଲା କରିଥିଲେ  । ୧୩ ବର୍ଷ ପରେ ଚାର୍ଜଫ୍ରେମ କରାଯାଇଛି  । ଏହା କାକତାଳୀୟ ବୋଲି ସେ ଇଂଗିତ କରିଛନ୍ତି  । ତେବେ ପରବର୍ତୀ ରାଜନୀତିକ କାର୍ଯ୍ୟକ୍ରମ କ’ଣ ରହିବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି  । ଅପରପକ୍ଷରେ ବିଜେଡ଼ି ଓ ବିଜେପି ମଧ୍ୟରେ ଏକ ଅନୈତିକ ମେଂଟ ହେବାକୁ ଯାଉଥିଲା  । ତାହା କିନ୍ତୁ ହେଲାନାହିଁ  । ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ବୋଲି ମହତାବ କହିଛନ୍ତି  ।
ସୂଚନାଯୋଗ୍ୟଯେ, ୧୯୯୮ରେ ସେ ପ୍ରଥମ ଥର ପାଇଁ କଟକରୁ ସାଂସଦ ହୋଇଥିଲେ  । ସେବେଠାରୁ ଦଳ ତାଙ୍କୁ ସବୁବେଳେ ଟିକେଟ ଦେଇଆସୁଛି  । ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିଜେଡ଼ିରୁ ୬ଥର ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି  । ବିଜେଡ଼ି ବି ତାଙ୍କୁ ବେଶ ଗୁରୁତ୍ୱ ଦେଉଥିଲା  । ସଂସଦରେ ସେ ଦଳର ନେତୃତ୍ୱ ବି ନେଉଥିଲେ  । କିନ୍ତୁ ଗତ କିଛିବର୍ଷ ଧରି ତାଙ୍କର ପତିଆରା କମିଯାଇଥିଲା  । ସେ ବିଜେପି ସହ ଯୋଗାଯୋଗରେ ଥିବା ନେଇ ବି ବେଶ ଚର୍ଚ୍ଚା ହେଉଥିଲା  । ଫଳରେ ମହତାବ ବିଜେପି ମୁହାଁ ହୋଇଛନ୍ତି ବୋଲି ଜାତୀୟ ଓ ରାଜ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲା  । ବିଜେପିର କେନ୍ଦ୍ରୀୟ ନେତାମାନଙ୍କୁ ମଧ୍ୟ ସେ ସବୁବେଳେ ପ୍ରଶଂସା କରି ଆସୁଥିଲେ  । ଅନେକ ସମୟରେ ସେ ନିଜ ଖବରକାଗଜରେ ସମ୍ପାଦକୀୟ ମାଧ୍ୟମରେ ବିଜେଡ଼ିକୁ ସମାଲୋଚନା ବି କରୁଥିଲେ  । ଅପରପକ୍ଷରେ ଦୀର୍ଘବର୍ଷ ଧରି ସେ ବିଜେଡ଼ି ଟିକେଟରେ ସାଂସଦ ହୋଇଆସୁଥିଲେବି ଦଳର ସଂଗଠନ ଉପରେ କିନ୍ତୁ ଧ୍ୟାନ ଦେଉନଥିଲେ  । ଅନେକ ବିଧାୟକ ଓ ନେତା ବି ମହତାବଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବାର ନଜିର ରହିଛି  । ଚବିଶରେ ସେ ବିଜେପି ଟିକେଟରୁ ଲଢ଼ିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହୋଇଆସୁଥିଲା ତାହା ସତ ହେବାର ସମ୍ଭାବନା ରହିଛି  ।