Odia News Portal

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମହାମିଶ୍ରଣ ପର୍ବରେ ଲେଖାଶ୍ରୀ ଦଳରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଲେଖାଶ୍ରୀ ସାମିଲ ହୋଇଛନ୍ତି । ରବିବାର ସକାଳେ ସେ ବିଜେପି ଛାଡିଥିଲେ ।

ଦଳର ନୀତି ଯୋଗୁଁ ଜନସେବା ହୋଇ ପାରିବ ନାହିଁ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ଲେଖାଶ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ମାନସ ମଙ୍ଗରାଜ କହିଛନ୍ତି, ତାଙ୍କ ଯୋଗଦାନ ଦ୍ୱାରା ଦଳ ଆହୁରି ସୁସଂଗଠିତ ହେବ ବୋଲି ଆଶା । ରାଜ୍ୟ ରାଜନୀତିର ସେ ଜଣେ ପରିଚିତ ନାଁ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ସେ ଯୋଗ ଦେଇଛନ୍ତି । ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖାଶ୍ରୀ ମିଶିଛନ୍ତି । ତାଙ୍କୁ ସ୍ୱାଗତ । ପୂର୍ବରୁ ସେ ଆମ ସହ ମିଶି କାମ କରିବାର ସୁଯୋଗ ଥିଲା । କିଛି କାରଣରୁ ସେ ପଳାଇଥିଲେ । ଆଜି ସେ ଘରକୁ ଫେରିଛନ୍ତି । ମିଶିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ଲୋକଙ୍କ ପାଖରେ ପହଞ୍ଚାଇବା ।

ଲେଖାଶ୍ରୀ କହିଛନ୍ତି, ଆଜି ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ଧନ୍ୟବାଦ । ମୁଁ ବିଜେପି ଛାଡିଛି । କୌଣସି ପରିବର୍ତ୍ତନ ସହଜ ନୁହେଁ । ହେଲେ ପରିବର୍ତ୍ତନ ନିରନ୍ତର । ଆଜି ଯିବାକୁ ହେଲେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡିବ । ମୁଁ ୧୦ ବର୍ଷରୁ ମୋର ସର୍ବସ୍ବ, ସ୍ଵଭାବ ଅନୁସାରେ ଶତ ପ୍ରତିଶତ ବିଜେପିକୁ ଦେଇଥିଲି । ଲୋକ ସେବାର ଇଚ୍ଛା ସେଠି ପୂରଣ ହୋଇ ପାରୁନି । ଏତେ ନିଷ୍ଠା ସହ କାମ କରିବା ସତ୍ତ୍ବେ ନେତୃତ୍ୱର ଭରସା ପାଇଲା ନାହିଁ । ଅନୁଭବ କଲି, ମୋ ସହ ବିଜେପି କାମ ଏତିକି ଥିଲା । ଓଡ଼ିଶାରେ ବିକାଶର ସ୍ରୋତ ବୁହାଉଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ କୃତଜ୍ଞ । 5-T କାମ ପାଇଁ ଭି.କେ. ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ । ଓଡ଼ିଆ ଅସ୍ମିତା, ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଅନୁପ୍ରାଣିତ ହୋଇ ଗୁଣ୍ଡୁଚି ମୂଷା ପରି ବାଲି ଝାଡ଼ିବା । ଓଡିଶାବାସୀଙ୍କ ସେବା ମୋ ଉଦ୍ଦେଶ୍ୟ ଥିଲା । ଯାହା ବିଜେପିରେ ସମ୍ଭବ ନଥିଲା । ଯାହା ଦାୟିତ୍ୱ ମିଳିବ, କରିବି ।