Odia News Portal

ଭୁବନେଶ୍ୱର ଫେରି ଏହା କହିଲେ ଭର୍ତ୍ତୃହରି

ଦେଶର ରାଜଧାନୀ ଦିଲ୍ଲୀରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଫେରିଛନ୍ତି ଭର୍ତ୍ତୃହରି ମହାତାବ । ନିକଟରେ ବିଜେଡିରୁ ଇସ୍ତଫାଦେଇ ବିଜେପିରେ ମିଶିଥିବା ଶ୍ରୀ ମହାତାବ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ଶୁଭେଚ୍ଛୁ  ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୁର୍ଗର ପତନ ହେଉଛି । ଦୁର୍ଗ ପତନର ବେଳ ବିଜେଡି ଭଲଭାବେ ଜାଣିସାରିଲାଣି । ବିଜେଡି ଭଲଭାବେ ଜାଣିସାରିଲାଣି ଯେ ତାଙ୍କ ସ୍ଥିତି ଆଉ ନାହିଁ ।ରାଷ୍ଟ୍ରବାଦର ପ୍ରଚାର ସହ ପୂର୍ବୋଦୟର ସଂକଳ୍ପକୁ ଆଗକୁ ନେବା । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପକୁ ଆଗକୁ ନେବା । ୨୦୨୪ ଜୁନ ମାସରେ ପରିବର୍ତ୍ତନ ସମସ୍ତେ ଲକ୍ଷ୍ୟ କରିବେ ।

ବିଜେପିରେ ମିଶିବା ପରେ ଭର୍ତ୍ତୃହରି ବିଜେଡି ବିରୋଧରେ ବର୍ଷିବା ସହ କହିଥିଲେ ଯେ ଗୋଟିଏ ଆଞ୍ଚଳିକ ଦଳ ସାମୁହିକ ଉତ୍ତର ଦାୟିତ୍ୱରେ ଚାଲୁଥିଲା। ୨୦୦୪ ପରଠାରୁ ତାହା ଦୁଇ ଜଣଙ୍କ ଭିତରେ ସୀମିତ ହୋଇଗଲା। ୨୦୧୯ରେ ଯିଏ ନେତା ଥିଲେ, ସିଏ ନେତା ହୋଇ ଆଉ ଦଳ ସଞ୍ଚାଳନ କଲେନି। ଆଜି ନିଷ୍ପତ୍ତି ଆଉ ଜଣେ ତାଙ୍କର କା’ ହିସାବରେ କରୁଛନ୍ତି। ସେଠି ଆଉ ଦଳ କାହିଁ? ସେଇଟା ଜଣତନ୍ତ୍ର ହୋଇଗଲା। ଜଣତନ୍ତ୍ରରେ ମତ ପ୍ରକାଶ କରିବାର କୌଣସି ସୁଯୋଗ ନାହିଁ। ଭିନ୍ନ ମତର କୌଣସି ସମ୍ମାନ ନାହିଁ। ଆଉ ତା’ହେଲେ ଗଣତନ୍ତ୍ର କ’ଣ? କେବଳ କିଛି ଟଙ୍କା ଫୋପାଡି, ଯିଏ ଭାବୁଛନ୍ତି ଆମର ସଂଖ୍ୟା ବଢ଼ୁଛି, ତାର ପରୀକ୍ଷା ଏହି ନିର୍ବାଚନରେ ହୋଇଯିବ ବୋଲି ମହତାବ କହିଥିଲେ।

ପ୍ରକାଶ ଯେ ବିଜେପି ପକ୍ଷରୁ ଭର୍ତ୍ତୃହରିଙ୍କୁ କଟକ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି । କଟକ ଆସନରୁ ୬ଥର ବିଜେଡି ଟିକେଟରେ ବିଜୟୀ ହୋଇଥିବା ଭର୍ତ୍ତୃହରି ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସେଠାରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ।