Odia News Portal

ଲୋକସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୨୧%ରୁ ଅଧିକ ପ୍ରାର୍ଥୀ ଦାଗୀ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟର ୯୬ ଆସନରେ ମେ ୧୩ରେ ମତଦାନ ହେବ। ଏହି ୯୬ ଆସନରେ ମୋଟ ୧୭୧୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏନଜିଓ ଏଡିଆର୍ ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ରିପୋର୍ଟ ଅନୁଯାୟୀ, ଏମାନଙ୍କ ମଧ୍ୟରୁ ୨୧% ରୁ ଅଧିକ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି।

ଏହି ରିପୋର୍ଟ ମୁତାବକ ସମୁଦାୟ ୧୭୧୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୧୦ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରାଯାଇଥିଲା। ସେଥିମଧ୍ୟରୁ ୩୬୦ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଏଥିମଧ୍ୟରୁ ୧୭ ଜଣ ପ୍ରାର୍ଥୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନେକ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୧୧ ଜଣଙ୍କ ବିରୋଧରେ ହତ୍ୟା, ୩୦ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୫୦ ଜଣଙ୍କ ନାମରେ ମହିଳାଙ୍କ ବିରୋଧରେ ଅପରାଧ ଏବଂ ୫ ଜଣ ପ୍ରାର୍ଥୀଙ୍କ ବିରୋଧରେ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗ ବି ରହିଛି। ଚତୁର୍ଥ ପର୍ଯ୍ୟାୟରେ ବିଜେପିର ସର୍ବାଧିକ ୪୦ ଜଣ ପ୍ରାର୍ଥୀ ଦାଗୀ । କଂଗ୍ରେସର ୩୫ ଜଣ, ଟିଡିପିରୁ ୯, ବିଆରଏସରୁ ୧୦ ଓ ସମାଜବାଦୀ ପାର୍ଟିର ୭ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।