Odia News Portal

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର, ଶୁକ୍ରବାର ୮୯ ଆସନରେ ହେବ ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ପ୍ରଚାର ଅଭିଯାନ ଶେଷ ହୋଇଛି । ଆସନ୍ତା ୨୬ ତାରିଖରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୯ ଆସନରେ ମତଦାନ ହେବ । କେରଳର ସମସ୍ତ ୨୦ ଆସନରେ ଭୋଟ ଗ୍ରହଣ କରାଯିବ। ସେହିଭଳି କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ଗ୍ରହଣ କରାଯିବ ।

ଏହାଛଡ଼ା ମଧ୍ୟ ପ୍ରଦେଶର ୭, ଆସାମ ଓ ବିହାରର ୫ ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏଁ ଲୋକସଭା ଆସନରେ ମଧ୍ୟ ମତଦାନ ହେବ । ଏପ୍ରିଲ ୧୯ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ ଆସନରେ ଭୋଟ୍ ହୋଇଥିଲା ।

ଆସନ୍ତା ୨୬ ତାରିଖ (ଶୁକ୍ରବାର)ରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ବୁଥ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୋଟ ୨,୬୩୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥିପତ୍ର ନାକଚ ଓ ପ୍ରତ୍ୟାହାର ପରେ ଏବେ ୧,୨୧୦ ପ୍ରାର୍ଥୀ ରହିଯାଇଛନ୍ତି । ତେଣୁ ଭୋଟରମାନେ ଦ୍ୱିତୀୟ ପର୍ଯ୍ୟାୟରେ ୧,୨୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଆଉଟର ମଣିପୁରରୁ ୪ ଜଣ ରହିଛନ୍ତି । ସମସ୍ତ ୭ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଜୁନ୍ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ (ମୀରଟ), ହେମା ମାଳିନୀ (ମଥୁରା), ଓମ୍ ବିର୍ଲା (କୋଟା), ତେଜସ୍ୱୀ ସୂର୍ଯ୍ୟ (ଦକ୍ଷିଣ ବେଙ୍ଗାଲୁରୁ)ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିଭଳି ଛତିଶଗଡ଼ର ରାଜନନ୍ଦଗାଓଁରୁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଭୂପେଶ ବାଘେଲ, କେରଳର ୱାୟନାଡରୁ ଲଢ଼ୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତିରୁଅନନ୍ତପୁରମରୁ ଲଢ଼ୁଥିବା ଶଶୀ ଥରୁରଙ୍କ ଭାଗ୍ୟ ମଧ୍ୟ ଏହି ପର୍ଯ୍ୟାୟ ମତଦାନରେ ନିର୍ଦ୍ଧାରଣ ହେବାକୁ ଯାଉଛି । ୱାୟନାଡ ଆସନରୁ ରାହୁଲ ଗାନ୍ଧୀ ୨୦୧୯ରେ ନିର୍ବାଚନ ଜିତିଥିଲେ । ଏଥର ମଧ୍ୟ ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ସେହିଭଳି ତିରୁଅନନ୍ତପୁରମରୁ ପୁଣି ଥରୁରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

‘ରାମାୟଣ’ ଅଭିନେତା ଅରୁଣ ଗୋଭିଲଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେପି । ତାଙ୍କ ହିନ୍ଦୁତ୍ୱ ଛବିରୁ ଫାଇଦା ପାଇବା ଲାଗି ଦଳ ଆଶା ରଖିଛି । ମଥୁରା ଆସନରୁ ଦୁଇଥର ହେଲା ଜିତିଆସୁଥିବା ବଲିଉଡ ଅଭିନେତ୍ରୀ ହେମା ମାଳିନୀ ତୃତୀୟ ଥର ପାଇଁ ଲଢ଼ୁଛନ୍ତି । ଦକ୍ଷିଣ ବେଙ୍ଗାଲୁରୁରୁ ମଧ୍ୟ ଗଲା ଥର ତେଜସ୍ୱୀ ସୂର୍ଯ୍ୟ ଜିତିଥିଲେ । ଏଥର ବି ତାଙ୍କୁ ବିଜେପି ଏଠାରୁ ଟିକଟ ଦେଇଛି ।

ବୁଧବାର ପ୍ରଚାର ଅଭିଯାନ ଥମିବା ପୂର୍ବରୁ ବିଜେପି ଓ କଂଗ୍ରେସ ଭଳି ବଡ଼ ଦଳ ଜୋରଦାର ପ୍ରଚାର କରିଥିଲେ । ବିଜେପି ପକ୍ଷରୁ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କମାଣ ସମ୍ଭାଳିଥିଲେ । ବିହାରର ଭାଗଲପୁର, ଖଗଡ଼ିଆ ଓ ଝଞ୍ଝାରପୁରରେ ଏନ୍ଡିଏ ପ୍ରାର୍ଥୀଙ୍କ ସମର୍ଥନରେ ସେ ଜନସଭାକୁ ସମ୍ବୋଧନ କରିଥିଲେ । ସେହିଭଳି ତେଜସ୍ୱୀ ଯାଦବ ବାଙ୍କା ଓ ଭାଗଲପୁରରେ ନିର୍ବାଚନ ରାଲିରେ ସାମିଲ ହୋଇଥିଲେ । ଭାଗଲପୁର ଲୋକସଭା ଆସନରୁ ଜେଡିୟୁର ଅଜୟ ମଣ୍ଡଳ ଲଢ଼ୁଛନ୍ତି । କଂଗ୍ରେସ ପକ୍ଷରୁ ଅଜିତ ଶର୍ମାଙ୍କୁ ସୁଯୋଗ ଦିଆଯାଇଛି । ତେଣୁ ଉଭୟଙ୍କ ମଧ୍ୟରେ ଏଠାରେ ଦ୍ୱିପାକ୍ଷିକ ଲଢ଼େଇ ହେବ । ବାଙ୍କାରେ ଜେଡିୟୁର ଗିରିଧାରୀ ଯାଦବ ଓ ଆରଜେଡିର ଜୟ ପ୍ରକାଶଙ୍କ ମଧ୍ୟରେ ମୁହାଁମୁହିଁ ହେବ । କଟିହାରରେ ଜେଡିୟୁ ସାଂସଦ ଦୁଲାଲ ଚନ୍ଦ ଗୋସ୍ୱାମୀ ଲଢ଼ୁଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ତାରିକ ଅନୱର ।