Odia News Portal

ସିଇଓଙ୍କ କାର୍ୟ୍ୟାଳୟରେ ବସିଲା ସର୍ବଦଳୀୟ ବୈଠକ

ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଡାକିଛନ୍ତି ସର୍ବଦଳୀୟ ବୈଠକ । ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଗୁରୁବାର ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ  ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । 
 ଏହି ବୈଠକରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଉପସ୍ଥିତ ରହିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ବାଚନ ସଂପର୍କିତ ଅତି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶାବଳୀ ସଂପର୍କରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରାଯିବ । ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ନିର୍ବାଚନ ଇସ୍ତାହାର ଘୋଷଣା ବେଳେ ଆଦର୍ଶ ଆଚାରଣ ବିଧି ସଂହିତାର ଅଧିନିୟମ ୮ (୩)କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବୈଠକରେ ଅବଗତ କରାଯିବ ।

ଆସନ୍ତା ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କ ସହଯୋଗ କାମନା କରିବେ । ବିଭିନ୍ନ ଦଳ ତରଫରୁ ନିଯୁକ୍ତ ହୋଇଥିବା ବୁଥସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ ଅଞ୍ଚଳରେ ବିଭିନ୍ନ ପ୍ରକାରର ତ୍ରୁଟିଗୁଡ଼ିକୁ ବୁଥସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବେ । ଫଳରେ ଏକ ସ୍ଵଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟ ପ୍ରକ୍ରିୟା ସମ୍ଭବ ହେବ । ବୈଠକରେ ଭାରତୀୟ ଜନତା ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ, ଆମ ଆଦମୀ ପାର୍ଟି, ବିଜୁ ଜନତା ଦଳ ପରି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିବେ ।