Odia News Portal

୪ ପୌରାଞ୍ଚଳ ଉପନିର୍ବାଚନରେ ବିଜେଡିର ବାଜିମାତ

ରାଜ୍ୟର ୨ଟି ପୌରପାଳିକା ଓ ୨ଟି ଏନ୍ଏସିରେ ବୁଧବାର ହୋଇଥିବା ଉପନିର୍ବାଚନର ଫଳ ଗୁରୁବାର ଘୋଷଣା କରାଯାଇଛି। ସବୁଠି ବିଜେଡି ବିଜୟୀ ହୋଇଛି। ଜଗତସିଂହପୁରକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ବିପୁଳ ଜନସମର୍ଥନ ହାସଲ ସହ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି ବିଜେଡି।

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନ୍ଏସି ଅଧ୍ୟକ୍ଷା ଉପନିର୍ବାଚନରେ ବିଜେଡି ୩୧୧୧ ଭୋଟ ପାଇଥିବା ବେଳେ ବିଜେପି ମାତ୍ର ୭୫୬, କଂଗ୍ରେସ ମାତ୍ର ୬୧୪ ଭୋଟ ପାଇଛି। ବିଜେଡି ପ୍ରାର୍ଥିନୀ ଦେବସ୍ମିତା ଶତପଥୀ ୨୩୫୫ ଭୋଟ ବ୍ୟବଧାନରେ ଜିତିଛନ୍ତି।

ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ଏସି ଓ୍ବାର୍ଡ ନଂ ୩ରେ ବିଜେଡି ୪୮୪ ଭୋଟ ପାଇଛି। ବିଜେପି ଦୟନୀୟ ଅବସ୍ଥାରେ ରହି ନାମକୁ ମାତ୍ର ୧୫ଟି ଭୋଟ ପାଇଛି। ବିଜେଡିର ହରପ୍ରସାଦ ଚୌଧୁରୀ ୪୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଯୋଡ଼ା ପୌରପାଳିକା ଓ୍ବାର୍ଡ ନଂ ୮ରେ ବିଜେଡି ୮୦୬, ବିଜେପି ୨୨୯, ସ୍ବାଧୀନ ପ୍ରାର୍ଥୀ ୧୧୩ ଭୋଟ ପାଇଛନ୍ତି। ଶାସକ ଦଳର ଶୁଭମ ନାଇକ ୫୭୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଜଗତସିଂହପୁର ପୌରପାଳିକା ଓ୍ବାର୍ଡ ନଂ ୬ରେ ବିଜେଡିର ରୋଜାଲିନ ଦାଶ ଗୋଟିଏ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ ୪୦୭ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୪୦୬ ଭୋଟ। ବିଜେପି ନାମକୁ ମାତ୍ର ୨୧ଟି ଭୋଟ ପାଇଛି।