Odia News Portal

ନୀଳଗିରିରୁ ଲଢ଼ିପାରନ୍ତି ଶ୍ରୀମୟୀ ମିଶ୍ର

ନୀଳଗିରିରୁ ଲଢ଼ିବେ ବିଜେଡିର ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ଏଭଳି ତଥ୍ୟ ସାମାଜିକ ଗଣମାଧ୍ୟମରେ ଆସିବା ପରେ ନୀଳଗିରିର ରାଜନୈତିକ ତାତି ବୈଶାଖକୁ ଟପି ଯାଇଛି । ଦୁଇ ଜଣଙ୍କ କଳିରୁ ତୃତୀୟ ଜଣଙ୍କ ଲାଭ ହେବ କି ବୋଲି ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ।

ନୀଳଗିରି ନିର୍ବାଚନମଣ୍ଡଳୀରେ ବିଧାୟକ ଟିକଟ ପାଇଁ ଚାଲିଛି ବିଜେପି ଓ ବିଜେଡି ମଧ୍ୟରେ ଲୁଚକାଳି ଖେଳ ।

କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡ଼ିନି । ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡ଼ି ବିଜେଡିକୁ ଗଲାପରେ ସବୁ ସମୀକରଣ ବଦଳି ଯାଇଛି । ବିଜେଡିର ନେତା ସନ୍ତୋଷ ଖଟୁଆ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିଲେ ବି ଦଳୀୟ ଟିକଟ ଆଶା ଛାଡ଼ିନାହାନ୍ତି । ତେଣୁ ଉଭୟ ସୁକାନ୍ତ ଓ ସନ୍ତୋଷ ସମାନ୍ତରାଳ ଭାବେ ନିଜର ସାଂଗଠନିକ କାର୍ଯ୍ୟ ଚଳାଇଛନ୍ତି । ଦୁଇ ନେତାଙ୍କ ସମର୍ଥକ ଟିକଟକୁ ନେଇ ଦୃଢ଼ ଆଶାବାଦୀ ଥିଲେ ମଧ୍ୟ ଏହି୨ ଜଣଙ୍କ ମଧ୍ୟରୁ ଜଣଙ୍କୁ ନିରାଶ ହେବାକୁ ପଡ଼ିବ । ପ୍ରାର୍ଥୀ ଘୋଷଣା ଘୁଞ୍ଚିଘୁଞ୍ଚି ଯାଉଥିବା ବେଳେ ଶୁକ୍ରବାର ହଠାତ୍ ଶ୍ରୀମୟୀ ମିଶ୍ର ନୀଳଗିରିରୁ ବିଜେଡି ପ୍ରାର୍ଥୀ ହେବା ଖବର ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ନୀଳଗିରି ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ନୀଳଗିରିରେ ଏବେ ଦୁଇ ତୁଙ୍ଗନେତାଙ୍କ କଳିରୁ ତୃତୀୟ ଜଣଙ୍କ ଲାଭ ହେଲାପରି ହୁଏତ ଶ୍ରୀମୟୀଙ୍କୁ ଥଇଥାନ କରାଯାଇପାରେ ବୋଲି ଚର୍ଚ୍ଚା ଧରିଛି ।

ଏ ନେଇ ବିଧାୟକ ଇଂ ନାୟକ କହିଛନ୍ତି, ସେ ଜଣେ ସାଧାରଣ କର୍ମୀ । ସୁପ୍ରିମୋ ମୋତେ ଯେଉଁ ନିର୍ଦ୍ଦେଶ ଦେବେ ତାହା ମୁଁ କରିବି । ସାମାଜିକ ଗଣମାଧ୍ୟମରେ ଏଭଳି ଖବରକୁ ନେଇ ବିଚଳିତ ନ ହେବାକୁ ସେ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି । ସେପଟେ ସନ୍ତୋଷଙ୍କ ସମର୍ଥକ ଏପରି ଖବରକୁ ନେଇ କହିଛନ୍ତି ଆମେ କର୍ମରେ ବିଶ୍ୱାସ ରଖୁ । ଏପରି ଖବରକୁ ନେଇ ଆମର ସଂଗଠନ ବିବ୍ରତ ନୁହେଁ ।

ସୂଚନାଯୋଗ୍ୟ, ଶ୍ରୀମୟୀ ଭୁବନେଶ୍ୱର ଲୋକସଭାରୁ ବିଜେଡ଼ି ଟିକଟରେ ଲଢ଼ିବେ ବୋଲି ଗତ ୬ ମାସ ହେଲା ପ୍ରଚାରକାର୍ଯ୍ୟ କରୁଥିଲେ । କିନ୍ତୁ ବିଜେଡ଼ି ତାଙ୍କ ବଦଳରେ ମନ୍ମଥ ରାଉତରାୟଙ୍କୁ ଲୋକସଭା ଟିକଟ ଦେଇଛି । ଏହା ପରେ ଶ୍ରୀମୟୀଙ୍କ କେଉଁ ଜାଗାରେ ଥଇଥାନ କରାଯିବ ସେ ନେଇ ବିଜେଡ଼ି ଶିବିରରେ ବିଚାର ଚାଲିଛି।