Odia News Portal

ପରୀକ୍ଷା ବାତିଲ ଦାବି ଆନ୍ଦୋଳନରେ +୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ପରୀକ୍ଷା ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଦେବେ ନା ନାହିଁ ଦ୍ୱନ୍ଦ୍ୱରେ ଅଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ପରେ ଏବେ +୨ ପରୀକ୍ଷା ଉପରେ ସମସ୍ତଙ୍କ ନଜର । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ପରେ ବଡ ନିଷ୍ପତି ନେଇଥିଲେ ରାଜ୍ୟ ସରକାର । ଆଜି ସମାନ ଢଙ୍ଗରେ ସମାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଭୁବନେଶ୍ୱରରର ମାଷ୍ଟରକ୍ୟାଣ୍ଟିନରେ ଏକାଧିକ କଲେଜର ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯେମିତି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି ସେମିତି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ‘ଯୁକ୍ତ ଦୁଇ ପରୀକ୍ଷା ସମ୍ପର୍କରେ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇ ନାହିଁ । ଜୁନ୍ ମାସର ପ୍ରଥମ ସପ୍ତାହରେ ସେତେବେଳେ ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମରେ ଆଗକୁ କାର୍ଯ୍ୟ କରାଯିବ।’ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଅତି ବ୍ୟସ୍ତ ନହୋଇ ଅପେକ୍ଷା କରି ଅଧ୍ୟୟନ ଉପରେ ଧାନ ଦେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ,ଆଇସିଏସଇ ଦଶମ ବୋର୍ଡ ଏବଂ ରାଜ୍ୟର ମାଟ୍ରିକ ପରୀକ୍ଷା ବାତିଲ ହୋଇଛି । ମାଟ୍ରିକ ଛାତ୍ରଛାତ୍ରୀ ମଙ୍ଗଳବାର ଦିନ ନବୀନ ନିବାସ ସମ୍ମୁଖରେ ସ୍କୁଲ ଡ୍ରେସ ପିନ୍ଧି ଧାରଣା ଦେଇଥିଲେ । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ ।