Odia News Portal

ପୂର୍ବତଟ ରେଳପଥ ପରିସୀମାରୁ ୨୬୦୦ ଟନ୍ ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର: ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି |

କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି | ଆଜି ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ 2600.02 ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଲାଣି  |

ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ରାଷ୍ଟ୍ରିୟ ଇସ୍ପାତ ନିଗମ ଲିମିଟେଡ୍, ବିଶାଖାପାଟନମ୍ ରୁ ମହାରାଷ୍ଟ୍ର ର ନାସିକକୁ ଅମ୍ଳଜାନ ପରିବହନ କରାଯାଇଥିଲା | ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ 40 ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଦ୍ୱାରା 162 କଣ୍ଟେନର ରେ ତରଳ ମେଡିକାଲ୍ ଅମ୍ଳଜାନ (LMO) ଧାରଣ କରି ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଅଛି | ଦୁର୍ଗାପୁର, ଟାଟାନଗର, ଏବଂ ରାଉରକେଲା ରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଅଛି ଏବଂ ଏହାର ଚଳାଚଳ ପାଇଁ ପ୍ରାଥମିକତା ଦିଆଯାଉଅଛି |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 40 ଅମ୍ଳଜାନ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ମଧ୍ୟରୁ ପ୍ରାୟ ଅଧା ଦିଲ୍ଲୀ ଏବଂ ହରିୟାଣା ଅଞ୍ଚଳ ଦ୍ୱାରା ଗ୍ରହଣ କରାଯାଇଅଛି | ଦିଲ୍ଲୀ ଏବଂ ହରିୟାଣାକୁ 19 ଅମ୍ଳଜାନ ଏକ୍ସପ୍ରେସ ଟ୍ରେନରେ 63 ଟି କଣ୍ଟେନର ମାଧ୍ୟମରେ ପ୍ରାୟ 1010.09 ଟନ୍ ଅକ୍ସିଜେନ ପରିବହନ କରାଯାଇଅଛି | ଏହା ବ୍ୟତୀତ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ରାଜ୍ୟକୁ ପଠାଯାଇଛି | ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ମହାରାଷ୍ଟ୍ରକୁ 545.31 ଟନ୍, କେରଳକୁ 117.9 ଟନ୍, ତେଲେଙ୍ଗାନାକୁ 685.7 ଟନ୍, ତାମିଲନାଡୁ 120 ଟନ୍ ଏବଂ କର୍ଣ୍ଣାଟକକୁ 120.98 ଟନ୍ ପରିବହନ କରିଛି |

ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର କର୍ମଚାରୀ ମାନଙ୍କ ସହିତ ସହାୟକ ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଏବଂ ପାଣି ବୋତଲ ଯୋଗାଉଛି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଯୋଗାଇଦିଆଯାଉଅଛି | ଏହି  ସଦସ୍ୟଙ୍କ ବ୍ୟତୀତ ଟ୍ରେନରେ ପରିବହନ ହେଉଥିବା ରୋଡ୍ ଯାନଗୁଡିକର କର୍ମଚାରୀମାନଙ୍କୁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବିଶେଷ ଧ୍ୟାନ ଦିଆଯାଉଅଛି |

ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ମହାମାରୀରେ କୋଭିଡ଼୧୯ ସଂକ୍ରମଣ ସମୟରେ ଆକ୍ରାନ୍ତ ରୋଗୀଙ୍କ ଜୀବନ ବଞ୍ଚାଇବାପାଇଁ ଅନୁଗୁଳ ଅଞ୍ଚଳରୁ ୩୩ ଟି, କଳିଙ୍ଗନଗର ଠାରୁ ୦୬ଟି ଏବଂ ବିଶାଖାପାଟନମ୍ ଅଞ୍ଚଳରୁ ଗୋଟିଏ ଅକ୍ସିଜେନ୍ ଏକ୍ସପ୍ରେସ୍ ଦେଶର ବିଭିନ୍ନ ରାଜ୍ୟକୁ ପାଠାଯାଇଅଛି |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯିବା ସହିତ ଏହି ଅଞ୍ଚଳକୁ ଗ୍ରୀନ କରିଡର ଘୋଷଣା କରାଯାଇଅଛି | ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟଗୁଡିକରୁ ଗନ୍ତବ୍ୟ ସ୍ଥାନକୁ ପରିବହନ କରାଯାଉଥିବା ଅମ୍ଳଜାନ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ମଧ୍ୟ ନିରାପଦ ଚଳାଚଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି |