Odia News Portal

୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ’ ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’ ଆହ୍ୱାନକୁ ସାକାର କରିବା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭାଗ ୱାରି ପ୍ରସ୍ତୁତି, ବିପଦସଂକୁଳିତ ଜନସାଧାରଣଙ୍କୁ ସୁରକ୍ଷିତ କୋଠା ଗୃହ ଓ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଓ ଭାରତୀୟ ପାଣିପାଗ ସଂସ୍ଥାର ଆକଳନ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ବାତ୍ୟା ‘ୟାସ୍’ ପାରାଦ୍ୱୀପ ଠାରୁ ୧୭୫ କି.ମି ଦୂରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଛି । ଏହା ଧୀରେ ଧୀରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରୁଛି । ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ ୨୬ ତାରିଖ ପୂର୍ବାହ୍ନରେ ବାସୁଦେବପୁର, ବାହାନଗା ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ଏହା କ୍ରମଶଃ ବାଲେଶ୍ୱର, ମୟୁରଭଞ୍ଜ ମଧ୍ୟ ଓଡ଼ିଶା ଅତିକ୍ରମ କରିବାର ଆକଳନ କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୫୦-୧୬୫ କି.ମି. ରହିବ ବୋଲି ଆକଳନ କରାଯାଉଛି । ଏହିଭଳି ପରିସ୍ଥିତି ପ୍ରତି ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ରହିଛନ୍ତି ଏବଂ ତଦାନୁଯାୟୀ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ୫ଜଣ ସଚିବ ଓ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାରେ ସ୍ଥାନାନ୍ତରଣ, ଉଦ୍ଧାର, ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏମାନେ ଜିଲ୍ଲାର ବିଭିନ୍ନ ସଂସ୍ଥା, ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ଗ୍ରହଣ କରିବେ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବେ । ଆଜି ସନ୍ଧ୍ୟା ପରଠାରୁ ପବନର ବେଗ ତୀବ୍ର ହେବ, ରାତି ସୁଦ୍ଧା ସମସ୍ତ ବିପଦସଂକୁଳ ଅଞ୍ଚଳରେ ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ କରିବାକୁ କୁହାଯାଇଛି । ଏଥିନିମନ୍ତେ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ପକ୍କା ଗୃହକୁ ମିଶାଇ ୬୮୯୧ଟି ଆଶ୍ରୟସ୍ଥଳ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଅତି ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲ୍ଲାର ତଳୁଆ ଅଞ୍ଚଳଗୁଡିକରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ୫୫୨୩ ଆଶ୍ରୟସ୍ଥଳୀକୁ ଏବେ ସୁଦ୍ଧା ପାଖାପାଖି ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପୋଲିସ, ସ୍ଥାନୀୟ ପଞ୍ଚାୟତିରାଜ
ପ୍ରତିନିଧି, ସ୍ୱେଚ୍ଛାସେବୀ, ଆପଦାମିତ୍ର, ସିଭିଲ ସୋସାଇଟର ସଦସ୍ୟ ଇତ୍ୟାଦିଙ୍କ ସହଯୋଗରେ କାର୍ଯ୍ୟ ଚାଲୁରହିଛି । ଆଶୟସ୍ଥଳୀଗୁଡିକରେ ମାସ୍କ ବଂଟନ, ଖାଦ୍ୟ, ପାନୀୟଜଳ, ସାବୁନ, ସାନିଟାଇଜର ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଘରେ ପାନୀୟ ଜଳ ଗଚ୍ଛିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଭିନ୍ନ ପଞ୍ଚାୟତ ଗୃହ, ଅଙ୍ଗନୱାଡି ଗୃହ ଖୋଲା ରଖିବାକୁ ମଧ୍ୟ କୁହାଯାଇଛି ଯାହା ଫଳରେ କୌଣସି ବ୍ୟକ୍ତିବିଶେଷ ଶେଷ ମୁହୂର୍ତ୍ତରେ ଆଶ୍ରୟ ନେଇପାରିବେ ।


କୋଭିଡ ମହାମାରୀର ଭୟାଭୟତାକୁ ଦୃଷ୍ଟିରେ ରଖି କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । କୋଭିଡ୍ ହସ୍ପିଟାଲ ଗୁଡିକରେ ପାନୀୟଜଳ, ବିକଳ୍ପ ବିଦୁ୍ୟତ ବ୍ୟବସ୍ଥା କରାଯିବା ସହ ଔଷଧ, ଅକ୍ସିଜେନ ଇତ୍ୟାଦି ମହଜୁଦ ରଖାଯାଇଛି । କୋଭିଡ ହସ୍ପିଟାଲରେ ଚିକିସôା ପ୍ରଦାନ କରୁଥିବା ଡାକ୍ତରୀ ଦଳଙ୍କର ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ପୂର୍ତ୍ତ ବିଭାଗ ଦ୍ୱାରା କୋଭିଡ ହସ୍ପିଟାଲଗୁଡିକରେ ଆବଶ୍ୟକ ଥିବା ଛୋଟ ଛୋଟ ମରାମତି କାର୍ଯ୍ୟ ମଧ୍ୟ କରାଯାଇଛି ।
ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ଜଳସଂପଦ ବିଭାଗ ତରଫରୁ କୁଶଳୀ ଯନ୍ତ୍ରୀମାନଙ୍କୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଜେସିବି, ଟ୍ରାକ୍ଟର, ଏକ୍ସାଭେଟର, ଜେନେରେଟର, ଇନ୍ଧନ, ପାୱାର ସ, ଗ୍ୟାସ କଟର ଇତ୍ୟାଦି ସାଜ ସରଞ୍ଜାମ ଏବଂ ଆବଶ୍ୟକୀୟ କୁଶଳୀ, ଅଣକୁଶଳୀ ଶ୍ରମିକ ପ୍ରସ୍ତୁତ କରି ରଖାଯାଇଛି । ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ ୩୦୦ ଆସ୍କା ଲାଇଟ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ପଠାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଏମାନେ ଜିଲ୍ଲାପ୍ରଶାସନକୁ ରାସ୍ତାରେ ପଡିଥିବା ଗଛକାଟି ସଫା କରିବା ପାଇଁ, ବିଦୁ୍ୟତ ମରାମତି, ଟେଲିକମ୍ ପୁନରୁଦ୍ଧାର ଆଦି ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିବେ । ଶକ୍ତିବିଭାଗ ତରଫରୁ ତ୍ୱରିତ ରେସପନ୍ସ ଦଳ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି । ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ତରଫରୁ ୭୧୦ ଜେନେରେଟର, ୮୧୩ ଟ୍ୟାଙ୍କର, ପିଭିସି ଟାଙ୍କି ୧୭୮୬ ଓ ଗାଡି ପ୍ରସ୍ତୁତ କରି ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ୧୧୨୫ ଟି ଟ୍ରାନ୍ସଫରମର, ୧୬୦ ଜେନେରେଟର, ୫୦୦ ଯାନ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନଙ୍କୁ ନେଇ ୩୦୮ ଟି ଚିକିସôା ଦଳ, ୬୩୫ ଟି ଚିକିସôା ସହାୟକ କେନ୍ଦ୍ର ଓ ୨୧୫ ଟି ଜେନେରେଟର ସହ ଔଷଧ, ଓଆରଏସ୍, ଆନ୍ୟନ୍ୟ ଆନୁଷଙ୍ଗିକ ଇଂଜେକ୍ସନ, ମାସ୍କ, ସାବୁନ, ସାନିଟାଇଜର, ପିପିଇ କିଟ୍, ବ୍ଲିଂଚି ପାଉଡର ଆଦି ପ୍ରସ୍ତୁତ କରି ରଖାଯାଇଛି । ଏବେସୁଦ୍ଧା ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦୦ ଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।


ଏଠାରେ ଉଲ୍ଳେଖଯୋଗ୍ୟ ଯେ, ବାତ୍ୟା ‘ୟାସ୍’ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡା, ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲାର ୩୦ ଗୋଟି ବ୍ଲକରେ ୫୦ ମି.ମି. ରୁ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି, କୁଜଙ୍ଗ, ରାଜନଗର, କେନ୍ଦ୍ରାପଡା ଓ ଅସ୍ତରଙ୍ଗ ବ୍ଲକରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହୋଇଛି ।
ଏବେ ସୁଦ୍ଧା ୫୨ ଟି ଏନ୍.ଡି.ଆର୍.ଏଫ୍ ଟିମ୍ ଏବଂ ୬୦ ରୁ ଉଦ୍ଧ୍ୱର୍ ଓଡ୍ରାଫ୍ ଟିମ୍ ଓ ୨୦୬ ଟି ଅଗ୍ନିଶମ ବାହିନୀ, ବନ ବିଭାଗ ପକ୍ଷରୁ ୮୬ଟି ଗଛ କଟାଳୀ ଟିମ୍ ଜିଲ୍ଲାଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ୮ ଟିମ୍ ଜରୁରୀପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବାତ୍ୟା ସମୟରେ ଯୁବବର୍ଗ ବାହାରେ ବୁଲିବା ଓ ସେଲ୍ଫି ନେଇ ଫଟୋ ଉଠାଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ଶେଷରେ ବାତ୍ୟାର ସଫଳ ମୁକାବିଲା ପାଇଁ ସରକାର ସଜାଗ ରହିଛନ୍ତି ଏବଂ ଜନସାଧାରଣଙ୍କ ସହଯୋଗ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।