Odia News Portal

ଦୀର୍ଘ ୪ ମାସପରେ ଖୋଲିଲା ଆରଡ଼ି ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ: ଜିଲ୍ଲା ପ୍ରତ୍ୟକ୍ଷ ଠାକୁର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆଜି ଖୋଲିଛି । ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଛି ମନ୍ଦିର । ସକାଳୁ ବାବାଙ୍କ ଦର୍ଶନ ଲାଗି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । କରୋନା କଟକଣାକୁ ମାନି ଭକ୍ତମାନେ ଦର୍ଶନ କରିଛନ୍ତି । ଦୀର୍ଘ ୪ ମାସ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ସମାଗମ ଅଧିକ ରହିଛି ।

କୋଭିଡ ନିୟମ ଅନୁଯାୟୀ ଜାରୀ ହୋଇଛି ଏସଓପି । ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଥିସହ ତୁଣ୍ଡି ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଉଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି। ସେହିପରି ମନ୍ଦିର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତାହାସହ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମନ୍ଦିର ନଯିବା ପାଇଁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ମନ୍ଦିର ବାହାରେ ଓ ଭିତରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।