Odia News Portal

ଚାଷୀଙ୍କୁ ନିବେଦନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କର କୃଷି ଆଇନ ବିରୋଧରେ ଲଗାତାର ବିରୋଧ କରୁଥିବା ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ନିବେଦନ କରିଛନ୍ତି। ଏଥିରେ ଦେଶରେ କରୋନା ଦ୍ୱିତୀୟ ଲହର ଚାଲୁଥିବା ନେଇ ସେ ସୂଚନା ଦେବା ସହ ଆନ୍ଦୋଳନ ସ୍ଥଳରୁ ମହିଳା ଓ ଶିଶୁଙ୍କୁ ଘରକୁ ପଠାଇ ଦେବାକୁ ଅନୁରୋଧ କରିଛନ୍ତି। ସରକାର ଚାଷୀଙ୍କ ସହ ଆନ୍ଦୋଳନ ଲାଗି ପ୍ରସ୍ତୁତ ଓ ଚାଷୀ ଯେତେବେଳେ ଚାହିଁବେ ସରକାର ତାଙ୍କ ସହ ଆଲୋଚନାକୁ ଆସିବେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ବିଭିନ୍ନ ଅର୍ଥଶାସ୍ତ୍ରୀ ଓ କୃଷକ ସଙ୍ଗଠନମାନେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହେଲେ କେତେକ ଚାଷୀ କେବଳ ଆନ୍ଦୋଳନ କରୁଛନ୍ତି। ତେବେ ଆଇନର କେଉଁ ବିଷୟକୁ ଚାଷୀ ବିରୋଧ କରୁଛନ୍ତି ସେ ନେଇ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି। ଏଥିଲାଗି ଚାଷୀ ସଙ୍ଗଠନଙ୍କ ସହ ସରକାର ୧୧ ଥର ଆଲୋଚନା କରିଛନ୍ତି। ପ୍ରତି ଥର ଆଇନର କେଉଁ ପ୍ରାବଧାନରେ ଚାଷୀଙ୍କ ଅସନ୍ତୋଷ ତାହା ଜାଣିବା ଲାଗି ସରକାର ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ତୋମାର। ହେଲେ ପ୍ରତି ଥର ଚାଷୀ ଏହାକୁ ଟାଳି ଯାଇଥିବା ବେଳେ ଏ ନେଇ କୌଣସି କାରଣ ମଧ୍ୟ ଜଣାଉ ନାହାନ୍ତି।

ଯଦି ସରକାର ପ୍ରସଙ୍ଗରେ ଆଲୋଚନା କରି ନଥାନ୍ତେ ତେବେ ଚାଷୀଙ୍କ ଆନ୍ଦୋଳନକୁ ଯଥାର୍ଥ କୁହଯାଇଥାନ୍ତା। ହେଲେ ସରକାର ଆଲୋଚନା ଚାହୁଁଛନ୍ତି କିନ୍ତୁ ଚାଷୀ ଆସୁନଥିବା ସେ କହିଛନ୍ତି। ତେବେ ଆଗାମୀ ଆଲୋଚନା କେବେ ଓ କେଉଁଠି ହେବ ସେ ନେଇ ଚାଷୀ ନିଷ୍ପତ୍ତି ନେବେ ବୋଲି ତୋମାର କହିଛନ୍ତି। ତେବେ ବର୍ତ୍ତମାନ ଲାଗି ବୟସ୍କ ଓ ପିଲାଙ୍କୁ ଆନ୍ଦୋଳନ ସ୍ଥଳରୁ ଚାଷୀ ଘରକୁ ପଠାଇ ଦିଅନ୍ତୁ ବୋଲି ତୋମାର ଅନୁରୋଧ କରିଛନ୍ତି। କରୋନା ଦ୍ୱିତୀୟ ଲହର ଗତବର୍ଷ ବ୍ୟାପିଥିବା ସଂକ୍ରମଣ ଠାରୁ ମଧ୍ୟ ଅଧିକ ସଂକ୍ରାମକ ବୋଲି ସେ କହିଛନ୍ତି। ଏଣୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚାଷୀ ଆଗାମୀ ପଦକ୍ଷେପ ନିଶ୍ଚିତ କରନ୍ତୁ ବୋଲି ତୋମାର କହିଛନ୍ତି।