Odia News Portal

୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ

ପୁରୀ ଶ୍ରୀମନ୍ଦିର ସମେତ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଆସୁଥିବା ମନ୍ଦିର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଆସନ୍ତା ୩ ତାରିଖରେ ଖୋଲିବ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।କୋଭିଡ ନିୟମ ଅନୁସାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତଙ୍କ ପ୍ରବେଶ ପୂର୍ବରୁ ମନ୍ଦିର ସାନିଟାଇଜ୍ ହେବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ସମୟରେ ୬ ଫୁଟ୍‌ର ସାମାଜିକ ଦୂରତା ରଖାଯିବ। ତେବେ କରୋନା ମହାମାରୀ ଦୃଷ୍ଟିରୁ ୬୫ ବର୍ଷରୁ ଅଧିକ ବୟସ୍କ ଲୋକ, ଗର୍ଭବତୀ ମହିଳା, ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ପିଲାଙ୍କୁ ଧର୍ମାନୁଷ୍ଠାନ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମନ୍ଦିରଗୁଡିକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଲାଗୁ ହେବ ନାହିଁ ।

ସ୍ଥାନୀୟ ସ୍ଥିତିର ମୂଲ୍ୟାଙ୍କନ କରିବା ସହ ସମ୍ପୃକ୍ତ ହିତାଧିକାରୀ, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଆଲୋଚନା କରିବା ପରେ ଆଜି କୋଭିଡ -19 ନିର୍ଦ୍ଦେଶାବଳୀ ପାଳନ ସହ ଜିଲ୍ଲାର ପୂଜାପୀଠ ଗୁଡିକ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଏକ ପୃଥକ SOP ଜାରି କରାଯିବ ବୋଲି ଦର୍ଶାଯାଇଛି।