Odia News Portal

ଭାରତୀୟ ଦଳକୁ ୫ କୋଟିର ପୁରସ୍କାର

ବ୍ରିସବେନ: ବ୍ରିସବେନ ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଏହା ସହ ଅଷ୍ଟ୍ରେଲିଆର ୩୩ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ବର୍ଡର ଗାଭାସ୍କର ଟ୍ରଫି ଜିତି ବିଦେଶ ମାଟିରେ ଇତିହାସ ରଚିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪ ୱିକେଟ୍‌ରେ ଜିତି ନେଇଛି ଭାରତ । ଏହା ସହିତ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ଭାରତ ବାଜିମାତ କରିଛି । ବ୍ରିସବେନ ବିଜୟ ସହ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଆଉ ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୨ ବର୍ଷର ଅପରାଜେୟ ରେକର୍ଡରେ ବ୍ରେକ୍ ଲଗାଇଛି ଭାରତ ।

ତେବେ ଭାରତୀୟ ଦଳର ଏହି ଐତିହାସିକ ବିଜୟରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ମୋଦି ଟ୍ୱିଟ କରି ଜଣାଇଛନ୍ତି କି ସେ ଭାରତୀୟ ଦଳର ଏହି ଐତିହାସିକ ବିଜୟରେ ଆତ୍ମହରା ହୋଇ ପଡିଛନ୍ତି | ଏହା ସହ ବିସିସିଆଇ ଭାରତୀୟ ଦଳର ଏହି ଦମଦାର ବିଜୟ ପାଇଁ ୫ କୋଟିର ପୁରସ୍କାର ଘୋଷଣା କରିଛି | ୫ କୋଟି ଟଙ୍କାର ବୋନସ ଘୋଷଣା କରିଛନ୍ତି ବିସିସିଆଇ ବୋର୍ଡ଼ ସମ୍ପାଦକ ଜୟ ଶାହା |ଏଥି ସହିତ ବିଦେଶ ମାଟିରେ ଟିମ୍ ଇଣ୍ଡିଆର ଏହି ଦମଦାର ବିଜୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହେୱାଗ୍,ଅଧିନାୟକ ବିରାଟ କୋହଲି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି | ଏହି ବିଜୟ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଖୁସି ଆଣି ଦେଇଛି |

ରିଷଭ ପନ୍ତ ଓ ୱାସିଂଟନ ସୁନ୍ଦରଙ୍କ ଦମଦାର ଇନିଂସ ବଳରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇ ନେଇଛି ଟିମ୍ । ବିରାଟଙ୍କ ଅନୁପସ୍ଥିତିରେ ଏହି ବଡ଼ ବିଜୟ ଭେଟି ଦେଇଛନ୍ତି ଆଜିଙ୍କ୍ୟ ରାହାଣେ । ଭାରତୀୟ ଯୁବ ଟିମ୍ ଆଗରେ ମୁଣ୍ଡ ନୁଆଇଁଛି କଙ୍ଗାରୁ ଦଳ । ପଞ୍ଚମ ଦିନରେ ଆରମ୍ଭରୁ ରୋହିତଙ୍କ ୱିକେଟ ଭାରତ ଶିବିରକୁ ଚିନ୍ତାରେ ପକାଇଥିଲା । ତେବେ ଶୁଭମାନ ଓ ପୂଜାରା ସର୍ତକତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଲିୟନଙ୍କ ବଲରେ ଆଉଟ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଶୁଭମନ ଗିଲ । ଆଉ ଏହାପରେ ଅଧିନାୟକ ରାହାଣେ ଦ୍ରୁତ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ ।

ତେବେ ପୂଜାରା ଓ ପନ୍ତ ଦୀର୍ଘ ସମୟ ଧରି ବ୍ୟାଟିଂ କରିବା ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ । ପୂଜାରାଙ୍କ ୱିକେଟ ପତନ ପରେ ମୟଙ୍କ ପୁଣିଥରେ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ । ତେବେ ଗୋଟିଏ ପଟେ ପନ୍ତ ଦୃଢତାର ସହ ବ୍ୟାଟିଂ କରି ଭାରତକୁ ବିଜୟ ଆଡକୁ ନେଉଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଦମଦାର ଇନିଂସ ଏହି ବିଜୟକୁ ଆହୁରି ସହଜ କରିଦେଇଥିଲା । ଶେଷରେ ୩ ୱିକେଟରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ ।