Odia News Portal

କୃଷି ଆଇନ ସ୍ଥଗିତ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଜାରି ରହିଛି କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ । ଆଜି ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

କୃଷି ଆଇନ ଅଚଳାବସ୍ଥା ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ । ଆପୋସ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ | ଯେଉଁଭଳି ଭାବେ ସରକାର ପୂରା ମାମଲାକୁ ପରିଚାଳନା କରୁଛନ୍ତି, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି । ସେ କହିଛନ୍ତି, ଏହି ଆଇନ ବିରୋଧୀ ଆନ୍ଦୋଳନ ଜନିତ ସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି। ସରକାର କାହିଁକି ଆଇନକୁ ସ୍ଥଗିତ ରଖୁନାହାନ୍ତି ବୋଲି କହିଛନ୍ତି କୋର୍ଟ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି, ଆନ୍ଦୋଳନ ଯୋଗୁଁ ଚାଷୀଙ୍କ ଜୀବନ ଯାଉଛି । ତେଣୁ ଏ ବାବଦରେ ସରକାର ହସ୍ତକ୍ଷେପ କରିବେ ନା କୋର୍ଟ ଏ ବାବଦରେ ପଦକ୍ଷେପ ନେବ ?

ପ୍ରଦର୍ଶନକାରୀଙ୍କୁ ଅଟକା ଯାଇପାରିବନି ତେଣୁ ସରକାର ଏକ କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ । ଆଜିର ଶୁଣାଣିବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଆଇନକୁ ପ୍ରତ୍ୟାହାର କରିବା ସମ୍ଭବ ନୁହେଁ । କିନ୍ତୁ ଆନ୍ଦୋଳନ ସ୍ଥଳରେ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ସେମାନଙ୍କ ଯତ୍ନ କିଏ ନେଉଛି ? ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହା ହେଲେ କୋର୍ଟ ପଦକ୍ଷେପ ନେବେ । ଆନ୍ଦୋଳନରେ କାହିଁକି ମହିଳା ଏବଂ ବୃଦ୍ଧମାନେ ବସିଛନ୍ତି ତାହା ଅସ୍ପଷ୍ଟ। ସମାଧାନ ପାଇଁ ଆମେ ଏକ କମିଟି ଗଠନ କରିବାକୁ ଯାଉଛୁ।

ଜାନୁଆରୀ ୮ ତାରିଖରେ ଅଷ୍ଟମ ଥର ପାଇଁ ହୋଇଥିବା ସରକାର ଏବଂ ଚାଷୀ ବୈଠକ ବିଫଳ ରହିଥିଲା। ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ପୁନର୍ବାର ଫେଲ ମାରିଥିଲା । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର । ଏପରିକି ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ସେହି ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରି ଦେଇଥିଲେ ସରକାର।