Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୨ଟି ୟୁରୋପୀୟ ଦେଶର ପ୍ରବାସୀ ଓଡ଼ିଆ

ଇଟାଲୀ ରାଜଧାନୀ ରୋମରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ଟି ୟୁରୋପୀୟ ଦେଶରୁ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଓ ବିକାଶ ନେଇ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହ ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ପରି କିଛି କ୍ଷେତ୍ରରେ ରାଜ୍ୟର ଭଲ ପ୍ରଦର୍ଶନକୁ ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି । ଆଲୋଚନା ବେଳେ ବ୍ରିଟେନରେ ରହିଥିବା ପ୍ରବାସୀ ଓଡ଼ିଆମାନେ ଜଣାଇଛନ୍ତି ଯେ, ସେମାନେ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟରେ ସବୁପ୍ରକାର ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ ଫାଇଭ୍-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।