Odia News Portal

ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏଥିସହ ୫୮୦.୮୨ କୋଟି ବ୍ୟୟ ଅଟକଳର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥ ପାଲୀ ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତେକଟି ଜୀବନ ମୋ ପାଇଁ ମୂଲ୍ୟବାନ। ସାଢେ ଚାରି କୋଟି ଜନତା ମୋ ପରିବାର। ତେଣୁ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ ମୋର ଲକ୍ଷ୍ୟ ।ବିଧାୟକ ଶ୍ରୀ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ସୁବ୍ରତ ତରାଇ ଧନ୍ୟବାଦ ଦେଇଥିଲେ। ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ମୋଟ ୪ ଲକ୍ଷ ୩୭ ହଜାର ୩୩୩ ରାସନକାର୍ଡ ଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡରୁ ଜିଲ୍ଲାର ମୋଟ ୧୫ ଲକ୍ଷ ୯ ହଜାର ୬୩୧ ଲୋକ ମାଗଣା ସ୍ବାସ୍ଥ୍ୟ ସେବା ପାଇବେ।