Odia News Portal

ଉପକୂଳ ଓଡିଶା ଛାରଖାର କଲା ୟାସ୍

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଛି । ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି । କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢୁ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।

ଲ୍ୟାଣ୍ଡଫଲ ସମୟରେ ବାତ୍ୟା ୟାସର ପବନ ବେଗ ୧୫୦ରୁ ୧୬୫ କିଲୋମିଟର ଆକଳନ କରାଯାଉଥିଲେ ବି ୧୩୦ରୁ ୧୫୦ କିଲୋମିଟର ମଧ୍ୟରେ ୟାସ ଆଜି ଲ୍ୟାଣ୍ଡଫଲ କରିଥିଲା।  ଆଜି ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାତ୍ୟା ଉପକୂଳକୁ ଅତିକ୍ରମ କରିଥିବାବେଳେ ବର୍ତ୍ତମାନ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।

ଅଧିକାଂଶ ସ୍ଥାନରେ ସମୁଦ୍ର ଜୁଆର ଜନବସତିକୁ ମାଡିଆସିଥିବାବେଳେ ଏକର ଏକର ଜମିରେ ଲୁଣି ପାଣି ଭର୍ତ୍ତି ହୋଇଯାଇଛି। ବାତ୍ୟା ପ୍ରଭାବରେ ବଡ ବଡ ଗଛ ଉପୁଡିପଡିଥିବାବେଳେ ଏନଡିଆରଏଫ ଓ ଓଡ୍ରାଫ ଟିମ ଏବେ ଏଗୁଡ଼ିକୁ ହଟାଇବାରେ ଲାଗିପଡିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ଏକାଧିକ ପଂଚାୟତରେ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

କିଛି ସ୍ଥାନରେ ଅଳ୍ପ ଗଛ ପଡ଼ିଥିବା ବେଳେ ଆଜି ରାତି ସୁଦ୍ଧା ସଫା ହୋଇଯିବ। ନୀଳଗିରିରେ ଅଧିକ ଗଛ ଭାଙ୍ଗିଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଲଙ୍ଗ ନଦୀ ପାଖରେ ସ୍ଥାନାନ୍ତରଣ ଚଳାଇଛନ୍ତି । ବାତ୍ୟା ୨ ଘଣ୍ଟା ଭିତରେ ବାଲେଶ୍ଵରରୁ ବାହାରି ମୟୁରଭଞ୍ଜରେ ପ୍ରବେଶ କରିବ। ୧୦୦ କି.ମିରୁ ଅଧିକ ବେଗରେ ପବନ ବହିଛି । ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଲେଶ୍ଵରରେ ଗୋଟାଏ ଯୁବକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରୁ ଯିବାକୁ ବାରଣ କରାଯିବା ସତ୍ତ୍ୱେ ସେ ବାହାରିଥିଲେ । ଏବଂ ବାଟରେ ତାଙ୍କ ଉପରେ ଗଛ ପଡ଼ିଥିବା ସୂଚନା ମିଳିଛି । ଏ ନେଇ ତହସିଲଦାର ସବିଶେଷ ସୂଚନା ଦେବେ । ସେହିଭଳି କେନ୍ଦୁଝରରେ ଲୋକଙ୍କ ଉପରେ ଗଛ ପଡ଼ିଥିବା ସୂଚନା ରହିଛି ଏ ନେଇ ଜିଲ୍ଲାପାଳ ରିପୋର୍ଟ ଦେବେ । ବହୁତ ଗାଁରେ ପାଣି ପଶିଛି । ୪ ମିଟର ପାଣି ଆସିଛି । ବହନଗା, ରେମୁଣା, ବାଲେଶ୍ଵର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡ଼ିବ। ପାଣି ଘେରରେ ଥିବା ଲୋକଙ୍କ ପାଇଁ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଦେଇପାରିବେ ଜିଲ୍ଲାପାଳ । ତେବେ କେଉଁଠି ବି ମୋବାଇଲ ସେବା ଠପ୍ ହୋଇନଥିବା କହିଛନ୍ତି ଏସ୍ଆରସି ।