Odia News Portal

ଆମିଷ ପାଇଁ ରାଜଧାନୀରେ ଅମାନିଆଙ୍କ ଭିଡ

*କରୋନାକୁ ନିମନ୍ତ୍ରଣ

ଭୁବନେଶ୍ୱର : ପ୍ରଥମ ସପ୍ତାହନ୍ତ ସଟ୍‌ଡାଉନ୍‌ରେ ଯେତେ ଅମାନିଆ ପୁଲିସ୍‌ ସହିତ ଲୁଚକାଳି ଖେଳିଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଆମିଷପ୍ରେମୀ । ରବିବାରରେ ଆଇଁଷଟିକେ ଖାଇବାପାଇଁ ରାଜଧାନୀର ଅନେକ ଶିକ୍ଷିତ ଲୋକ ସହରସାରା ଚକ୍କର କାଟିଥିଲେ ।
କରୋନାର ଚେନ୍‌ ଭାଙ୍ଗିବାପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନେଉଥିବାବେଳେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି କରିଛନ୍ତି । ପ୍ରତିଦିନ ରାତ୍ରୀକାଳୀନ କର୍ଫୁ୍ୟ ଜାରି ହୋଇଥିବାବେଳେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା ହୋଇଛି । ତେଣୁ ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବା ନେଇ ସରକାର ସ୍ପଷ୍ଟ କରିଥିଲେ । ଖୋଦ ସ୍ୱତନ୍ତ୍ର ରିଲିଫ କମିଶନର ଏ ନେଇ ବାରମ୍ବାର ସୂଚନା ଦେଇଥିଲେ ।

ହେଲେ ଶନିବାର କୌଣସି ପ୍ରକାରେ ଘରେ ରହିଥିବା ରାଜଧାନିଆ ରବିବାର ସକାଲେ କିନ୍ତୁ ଆମିଷ ପାଇଁ ଧାଇଁଥିଲେ । ଗଳି କନ୍ଦିରେ କେଉଁଠି କୁକୁଡା ଓ ମାଛ ବିକ୍ରି ହେଉଛି ତାହାର ପତ୍ତା ଲଗାଇଥିଲେ । ସୂଚନା ପାଇଲା ମାତ୍ରେ ଧାଇଁଥିଲେ । ବେପାରୀମାନେ ବି ଗ୍ରାହକଙ୍କ ମନକଥା ଜାଣି ଦୋକାନ ସଟ୍‌ର ଖୋଲି ବେପାର କରିଥିଲେ । ଗ୍ରାହକମାନଙ୍କୁ ଦୂରରେ ଛିଡାହେବାପାଇଁ ନିଦେ୍ର୍ଦଶ ଦେବା ସହିତ ଜଣେ ବ୍ୟକ୍ତି ଆସି ଆମିଷ ସାମଗ୍ରୀର ସଂକ୍ରାନ୍ତରେ ବୁଝି ପଇସା ଆଦାୟ କରି ନେଉଥିଲେ । ଏହାର କିଛି ସମୟପରେ ଗ୍ରାହଙ୍କ ନିକଟରେ ମାଲ୍‌ ପହଞ୍ଚି ଯାଉଥିଲା ।

ରାଜଧାନୀର ପ୍ରାୟ ସବୁ ଅଞ୍ଚଳରେ ଏଭଳି ଚୋରା ଲୁଚା ବେପାର ଚାଲିଥିଲା । ରାତି ଅନିଦ୍ରା ଓ ଖରା ତରାରେ ଲୋକଙ୍କୁ ଜଗି ଜଗି ହାଲିଆ ହୋଇଥିବା ପୁଲିସ୍‌ ବାବୁମାନେ ଏଥିପ୍ରତି ସେତେଟା ନଜର ଦେଇନଥିଲେ । ଯେଉଁ କେତେକ ସ୍ଥାନରେ ଅମାନିଆମାନେ ଧରାପଡିଲେ ସେମାନଙ୍କ ଠାରୁ ଫାଇନ୍‌ କାଟି ପୁଲିସ୍‌ ଛାଡିଦେଇଥିଲା । ରାଜଧାନୀରେ କରୋନା ବିସ୍ଫୋରଣ ସ୍ଥିତିରେ ଥିବାବେଳେ ଶିକ୍ଷିତ ଲୋକଙ୍କ ଏଭଳି କାରବାର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସ୍ତରରୁ ଲୋକଙ୍କୁ ସେଚତନ ପାଇଁ ଅପିଲ୍‌ କରାଯାଉଥିବାବେଳେ ଖୋଦ ରାଜଧାନୀରେ ଏଭଳି କାରବାର ଏବେ କରୋନା ସଂକ୍ରମଣ ବୃଦ୍ଧିକୁ ଏକ ପ୍ରକାର ଆହ୍ୱାନ କରିଛି ।

ତେବେ ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀ ହାଟରୁ ଭିଡ କମାଇବାପାଇଁ ହାଟ ଗୁଡିକୁ ସ୍ଥାନାନ୍ତର କରିଥିାବବେଳେ କିଛି ଆମିଷ ବେପାରୀଙ୍କ ଏଭଳି କାରବାର ଓ ଗ୍ରାହକଙ୍କ ବିକଳିଆ ପଣ ଯୋଗୁଁ କରୋନା ସଂକ୍ରମଣ ସହରରେ ଆହୁରି ତୀବ୍ରତର ହେବବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେଣୁ ଏଭଳି ଅମାନିଆଙ୍କ ପ୍ରତି ପୁଲିସ୍‌ ଆହୁରି କଠୋର ହେବାପାଇଁ ବି କିଛି ସହରବାସୀ ମତ ଦେଉଛନ୍ତି ।