Odia News Portal

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବାରେ ଲାଗିଛି। ଏହି ସମୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସବୁ ଶିକ୍ଷକଙ୍କୁ ଟିକା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ ଆଜି କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଶିକ୍ଷକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ୨ କୋଟି ଡୋଜ୍ ଦେବେ ବୋଲି କହିଛନ୍ତି।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି, ଚଳିତ ମାସରେ ରାଜ୍ୟଗୁଡ଼ିକୁ ଟିକା ପ୍ରଦାନ ଯୋଜନାରେ ଅତିରିକ୍ତ ୨ କୋଟିରୁ ଅଧିକ ଡୋଜ୍ ଯୋଗାଇ ଦିଆଯାଉଛି। ତେଣୁ ଆମେ ସବୁ ରାଜ୍ୟର ସରକାରମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ୫ ସେପ୍ଟେମ୍ବରରେ ପାଳନ କରାଯାଉଥିବା ଗୁରୁ ଦିବସ ପୂର୍ବରୁ ସ୍କୁଲରେ ପାଠପଢ଼ାଉଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି।