Odia News Portal

ଟିକା ଅଭାବରୁ ବନ୍ଦ ହେଲା ୭୦୦ ଟିକାଦାନ କେନ୍ଦ୍ର

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା |

ଭୁବନେଶ୍ୱର: କରୋନା ଟିକା ଅଭାବ। ଆବଶ୍ୟକ ମୁତାବକ କୋଭିଡ ଟିକା ମହଜୁଦ ନଥିବା କାରଣରୁ ବାଧାପ୍ରାପ୍ତ ହେଲାଣି ଟିକାଦାନ କାର୍ଯ୍ୟକ୍ରମ। ସେଥିପାଇଁ ରାଜ୍ୟର ପ୍ରାୟ ୭ଶହ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି । ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି । ଗତକାଲି ୧ ଲକ୍ଷ ୧୦ ହଜାର ୮ଶହ୮୯ ଡୋଜ ଟିକା ଦିଆଯାଇଛି । ୪ଲକ୍ଷ ୩୫ ଡୋଜ ୩୨୦ କୋଭିସିଲ୍ଡ ଟିକା ରହିଛି । ୧ ଲକ୍ଷ ୧୪ ହଜାର ୪୯୦ କୋଭାକ୍ସିନ ଟିକା ମହଜୁଦ ଅଛି । ହେଲେ ଏସବୁ ୨ ଦିନ ଭିତରେ ସରିଯିବ । ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ଅଛି ବୋଲି କହିଛନ୍ତି ବିଜୟ ପ୍ରାଣିଗ୍ରାହୀ ।

ଅନ୍ୟପକ୍ଷେ, ଭୁବନେଶ୍ୱରରେ କରୋନା ସଂଖ୍ୟା ବଢୁଥିବା ବେଳେ କମିସନରେଟ ପୋଲିସ ସହ ମିଶି ବିଏମସି ଏନଫୋର୍ସମେଣ୍ଟକୁ ତ୍ୱରାନ୍ୱିତ କରୁଛି । ସଂକ୍ରମଣକୁ ମାତ୍ ଦେବା ପାଇଁ ସରକାରୀ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ । ଭୁବନେଶ୍ୱରରେ ବର୍ତମାନ କାର୍ଯ୍ୟକ୍ଷମ ଏକମାତ୍ର କୋଭିଡ ହସ୍ପିଟାଲ, ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି । ଏବେ ନାଇଟକର୍ଫ୍ୟୁ, ଲକଡାଉନ, ସଟଡାଉନ୍ କଥା ଚିନ୍ତା କରାଯାଉ ନାହିଁ । ଏନଫୋର୍ସମେଣ୍ଟ , ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଏମସି କମିସନର କହିଛନ୍ତି ।