Odia News Portal

ନିଜ ୧୦୦ତମ ଟେଷ୍ଟରେ ଓ୍ବାର୍ଣ୍ଣରଙ୍କ ଡବଲ୍ ସେଞ୍ଚୁରି

ଅଷ୍ଟ୍ରେଲୀୟ ଓପନର ଡେଭିଡ ୱାର୍ଣ୍ଣର ନିଜ ଶତକୀୟ ଟେଷ୍ଟରେ ଡବଲ୍ ସେଞ୍ଚୁରି ମାରିଛନ୍ତି । ଏଥିସହ ସେ ତାଙ୍କର ଏହି ମାଇଲଖୁଣ୍ଟ ଟେଷ୍ଟକୁ ସ୍ମରଣୀୟ କରିବା ସହ ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ପ୍ରାୟ ତିନି ବର୍ଷ ପରେ ଓ୍ବାର୍ଣ୍ଣର ଏହି ଫର୍ମାଟରେ ତିନି ଅଙ୍କ ଛୁଇଁଛନ୍ତି । ଓ୍ବାର୍ଣ୍ଣରଙ୍କ ଡବଲ ଶତକ ବଳରେ ମେଲବୋର୍ଣ୍ଣରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜ ସ୍ଥିତି ମଜବୁତ କରିନେଇଛି ।

ନିଜ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଡେଭିଡ ୱାର୍ଣ୍ଣର ଥିଲେ ଦ୍ବିତୀୟ ଦିବସର ହିରୋ | ଓ୍ବାର୍ଣ୍ଣର ନିଜ ଶତକୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଥିଲେ । ସେ ୨୫୪ ବଲରେ ୨୦୦ ରନ୍ କରି ରିଟାୟର ହର୍ଟ ହୋଇଥିଲେ । ସେ ତାଙ୍କ ଇନିଂସରେ ୧୬ଟି ଚୌକା ଓ ଦୁଇଟି ଛକା ମାରିଥିଲେ।

ସେ ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ନିଜ ୧୦୦ତମ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଇଂଲଣ୍ଡର ଜୋ ରୁଟ୍ ଏହି କୀର୍ତ୍ତିମାନ ରଚିଥିଲେ |

ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତିନି ୱିକେଟ୍ ହରାଇ ୩୮୬ ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୧୯୭ ରନରେ ଆଗୁଆ ରହିଛି । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୮୯ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।