Odia News Portal

ବିଦାୟ ସାନିଆ; ଦୁବାଇରେ ଶେଷ ହେଲା ଟେନିସ୍ କ୍ୟାରିୟର

ଭାରତୀୟ ସୁନ୍ଦରୀ ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର ଶେଷ ହୋଇଛି। ଦୁବାଇ ଓପନ୍‌ରେ ମଙ୍ଗଳବାର ଭେରୋନିକା କୁଦେରମେତୋଭା ଓ ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କ ଯୋଡ଼ିଠୁ ୪-୬, ୦-୬ରେ ସାନିଆ ଓ ତାଙ୍କ ସାଥୀ ମାଡିସନ୍‌ କିଜ୍‌ ପରାସ୍ତ ହେବାରୁ ୩୦ ବର୍ଷ ଟେନିସ୍‌ ଯାତ୍ରାର ଅନ୍ତ ଘଟିଛି। ଏହାଭିତରେ ପାଖାପାଖି ୨୦ ବର୍ଷର ପେସାଦାର ଟେନିସ୍‌ ଜୀବନ ମଧ୍ୟ ସାମିଲ ଅଛି। ଅନେକ ଉତ୍‌ଥାନ-ପତନ ଓ ଆଶା-ଆଶଙ୍କା ଭିତରେ ସାନିଆଙ୍କ ଟେନିସ୍‌ ଯାତ୍ରା ଆରମ୍ଭ ହୋଇଥିଲା ବେଳେ ଦୁବାଇରେ ଏହା ଶେଷ ହୋଇଛି। ୨୦୦୩ରେ ଯେତେବେଳେ ୱିମ୍ବଲଡନ୍‌ ବାଳିକା ଯୁଗଳରେ ସାନିଆ ବିଜେତା ହୋଇଥିଲେ, ସେତେବେଳେ କେବଳ ସେ ଏକା ଜିତିନଥିଲେ, ବରଂ ଜୀବନରେ କିଛି ବଡ଼ କରିବାକୁ ଚାହୁଁଥିବା ପ୍ରତ୍ୟେକଟି ଝିଅ ଆଗକୁ ବଢିବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ତେବେ ଏହାପରଠୁ ସାନିଆ ଆଉ ପଛକୁ ଫେରି ଚାହିଁନାହାନ୍ତି। ଗୋଟିକ ପରେ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ୍‌ର ପାହାଚ ଚଢି ୬ ଗ୍ରାଣ୍ଡସ୍ଲାମ୍‌କୁ କବ୍‌ଜା କରିଥିଲେ।

ସାନିଆଙ୍କ ଟେନିସ୍‌ ଯାତ୍ରାର ଦୃଢ ମୂଳଦୁଆ ପଡ଼ିଥିଲା ୨୦୦୩ରେ। ସେହି ବର୍ଷ ୱିମ୍ବଲଡନ୍‌ରେ ହୋଇଥିବା କନିଷ୍ଠ ବାଳିକା ଯୁଗଳକୁ ଜିତି ସାନିଆ ଆନ୍ତର୍ଜାତିକସ୍ତରରେ ନିଜର ଛାପ ଛାଡ଼ିଥିଲେ। ପରେ ୨୦୦୫ ହାଇଦ୍ରାବାଦ୍‌ ଓପନ୍‌ରେ ନବମ୍‌ ସିଡ୍‌ ଆଲୋନା ବନ୍ଦାରେଙ୍କୋଙ୍କୁ ହରାଇବା ସହ ଅଷ୍ଟ୍ରେଲିଆନ୍‌ ଓପନ୍‌ର ତୃତୀୟ ରାଉଣ୍ଡରେ ସେରେନା ୱିଲିୟମ୍ସଙ୍କୁ କଡ଼ା ଟକ୍କର ଦେବା ତାଙ୍କ ପାଇଁ ଭଲ ସଙ୍କେତ ଦେଇଥିଲା। ଏହାପରେ ଷ୍ଟାନଫୋର୍ଡ କ୍ଲାସିକ୍‌ର ତୃତୀୟ ରାଉଣ୍ଡ ଏବଂ ଫରେଷ୍ଟ ହିଲ୍‌ କ୍ଲାସିକ୍‌ର ଫାଇନାଲ୍‌ରେ ପ୍ରବେଶ କରିବାରେ ସେ ପ୍ରଥମ ଭାରତୀୟ ହୋଇଥିଲେ। ୟୁଏସ୍‌ ଓପନ୍‌ର ଚତୁର୍ଥ ରାଉଣ୍ଡ ପର୍ଯ୍ୟନ୍ତ ସେ ପହଞ୍ଚିବା ସହ ଏଠାରେ ମାରିଆ ସାରାପୋଭାଙ୍କଠୁ ପରାଜିତ ହୋଇଥିଲେ। ୨୦୦୬ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ସାନିଆ ପ୍ରଥମ ଭାରତୀୟ ମହିଳା ଭାବେ ସିଡେଡ୍‌ ଖେଳାଳି ମାନ୍ୟତା ପାଇଥିଲେ। ୨୦୦୭ ୟୁଏସ୍‌ ଓପନ୍‌ରେ ସାନିଆ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିବା ସହ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୨୭ତମ ସ୍ଥାନରେ ପହଞ୍ଚିଥିଲେ। ୨୦୦୮ରେ ମହେଶ ଭୂପତିଙ୍କୁ ସାଥି କରି ସାନିଆ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳର ଉପବିଜେତା ହୋଇଥିଲେ ଏବଂ ପରବର୍ତ୍ତୀ ବର୍ଷ ଏହାର ବିଜେତା ହୋଇଥିଲେ।

ସେତେବେଳେ ତାଙ୍କର ଲୋକପ୍ରିୟତା ଏତେ ବଢି ଯାଇଥିଲା ଯେ କ୍ରିକେଟ୍‌ ବହୁଳ ଦେଶ ଭାରତରେ ସାନିଆ ମିର୍ଜାଙ୍କୁ ଦେଖିବାକୁ ଲୋକେ ଚାତକ ଭଳି ଚାହିଁ ରହିଁଥିଲେ। ତେବେ ତାଙ୍କ ଖେଳଜୀବନ ଭିତରେ ‌ଯେତେ ଲୋକପ୍ରିୟତା ଅର୍ଜନ କରିଛନ୍ତି, ବିବାଦ ଭିତରକୁ ବି ସେତେ ଟାଣି ହୋଇଛନ୍ତି। କେତେ‌ବେଳେ ନିଜ ଟି-ସାର୍ଟରେ ଅଶ୍ଳୀଳତା ଶବ୍ଦ ଉଲ୍ଲେଖ କରି ହେଉ କି ନିଜ କଥା ମାଧ୍ୟମରେ ହେଉ ସେ ବିବାଦ ଭିତରକୁ ଟାଣି ହୋଇଆସୁଥିଲେ। ଏପରିକି ଅନେକ ସମୟରେ ତାଙ୍କ ଅଙ୍ଗଭଙ୍ଗୀ ମଧ୍ୟ ବିବାଦ ଭରା ରହୁଥିଲା। କିନ୍ତୁ ସାନିଆ ସେସବୁକୁ ଖାତିର ନକରି କୋର୍ଟ ଭିତରେ ଜବାବ ଦେଉଥିଲେ।

ହେଲେ ୨୦୦୯ ପରଠୁ ତାଙ୍କର ଆହତ ସମସ୍ୟା ଆରମ୍ଭ ହୋଇଥିଲା। ପ୍ରଥମେ ଦୁଇ ଆଣ୍ଠୁ ଓ ପରେ କଚଟିରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ଯେଉଁ ଧାରାରେ ଉପରକୁ ଉଠୁଥିଲେ, ଆହତ ହେବା ପରଠୁ ତଳକୁ ଖସିବା ଆରମ୍ଭ ହୋଇଥିଲା। କିନ୍ତୁ ଏହା ଖେଳର ଏକ ଅଂଶମାତ୍ର। ପରବର୍ତ୍ତୀ ସମୟରେ ସାନିଆ ଭିନ୍ନଭିନ୍ନ ଖେଳାଳିଙ୍କୁ ସାଥି କରି ଖେଳିବା ଆରମ୍ଭ କରିଥିଲେ। ସେମାନଙ୍କ ଭିତରୁ ସାନିଆ-ମାର୍ଟିନା ହିଙ୍ଗିସ୍‌ଙ୍କ ଯୋଡ଼ି ସବୁଠୁ ସଫଳ ହେବା ସହ ୨୦୧୫ରେ ବିଶ୍ବ ଯୁଗଳ ମାନ୍ୟତାରେ ୬ ନମ୍ବରରେ ପହଞ୍ଚିଯାଇଥିଲେ। ଏହି ବର୍ଷ ଫାମିଲି ସର୍କଲ କପ୍‌ରେ ହିଙ୍ଗିସ୍‌ଙ୍କୁ ସାଥି କରି ସାନିଆ ବିଜେତା ହେବା ସହ ୩ ନମ୍ବର ସ୍ଥାନକୁ ଉଠିଥିଲେ। ସେହିପରି ୱିମ୍ବଲଡନ୍‌ ଓପନ୍‌ ଫାଇନାଲ୍‌ରେ ଏହି ଯୋଡ଼ି ବିଜେତା ହେବାରୁ ସାନିଆ ପ୍ରଥମ ମହିଳା ଯୁଗଳ ଟ୍ରଫି ଜିତିଥିଲେ।

୨୦୧୫-୧୬ରେ ଏହି ଯୋଡ଼ି ଲଗାତାର ୪୧ ମ୍ୟାଚ୍‌ ଜିତିବା ଭଳି କାରନାମା କରି ଦେଖାଇଥିଲେ। ମହିଳା ଯୁଗଳ ଓ ମିଶ୍ରିତ ଯୁଗଳରେ ସାନିଆ ପାଖାପାଖି ୮୨ ଜଣଙ୍କୁ ସାଥି କରି ଖେଳିଛନ୍ତି। ତାଙ୍କ କ୍ୟାରିୟର୍‌ରେ ୬ ଗ୍ରାଣ୍ଡସ୍ଲାମ୍‌, ୪୩ ଯୁଗଳ, ୩ ମିଶ୍ରିତ ଯୁଗଳ, ଏସୀୟ କ୍ରୀଡ଼ାରେ ୨ ସ୍ବର୍ଣ୍ଣ, ୩ ରୌପ୍ୟ, ୩ କାଂସ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧ ରୌପ୍ୟ ଓ କାଂସ୍ୟ ଏବଂ ଆଫ୍ରୋ-ଏସୀୟ କ୍ରୀଡ଼ାରେ ୪ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। କେବଳ ଜଣେ କ୍ରୀଡ଼ାବିତ୍‌ ଭାବେ ନୁହେଁ ଫ୍ୟାସନ୍‌ ଆଇକନ୍‌ ଭାବେ ମଧ୍ୟ ସାନିଆ ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଭାରତରେ ମହିଳା କ୍ରୀଡ଼ାବିତ୍‌ଙ୍କ ଭିତରେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ୍‌ଙ୍କ ପରେ ପିଭି ସିନ୍ଧୁଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଗଣନା କରାଯାଉଛି। କିନ୍ତୁ ଟେନିସ୍‌ରେ ସାନିଆଙ୍କ ବିକଳ୍ପ ଏପର୍ଯ୍ୟନ୍ତ ଆସିପାରିନାହାନ୍ତି।