Odia News Portal

ଏମ୍ସର ସଫଳ ଅଙ୍ଗପ୍ରତିରୋପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଟୁଇଟରେ ଦେଲେ ଡାକ୍ତରଙ୍କୁ ସାବାସୀ

ଅସ୍ଥିଶଲ୍ୟ ବିଭାଗ ଦ୍ବାରା ଦୁଇ ଆଣ୍ଠୁ ଏବଂ ଦୁଇ ପିଚାର ସଫଳ ପ୍ରତିରୋପଣ ଲାଗି ଭୁବନେଶ୍ବର ଏମ୍ସର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି ଅସ୍ତ୍ରୋପଚାର କରିଥିବାରୁ ଏମ୍ସ ଭୁବନେଶ୍ୱରଙ୍କୁ ପ୍ରଶଂସା କରିଥିଲେ।
ଏଣେ ଏମ୍ସ୍ ଭୁବନେଶ୍ବରର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଅଶୁତୋଷ ବିଶ୍ୱାସ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏଥିଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି।
ଆହୁରି ମଧ୍ୟ ଚିକିତ୍ସା କ୍ଷେତ୍ରରେ ଏମ୍ସ ଆଉ ଏକ ସଫଳତା ହାସଲ କରିଛି। ପଙ୍ଗୁପ୍ରାୟ ହୋଇପଡ଼ିଥିବା ଜଣେ ମହିଳାଙ୍କ ଦୁଇ ଆଣ୍ଠୁ ଏବଂ ଦୁଇ ପିଚାର ସଫଳ ପ୍ରତିରୋପଣ କରିଛନ୍ତି ଅସ୍ଥିଶଲ୍ୟ ବିଭାଗର ଡାକ୍ତରୀ ଦଳ। ଏହି ଚିକିତ୍ସା ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ଏବଂ ଓଡ଼ିଶାରେ ପ୍ରଥମ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ୩୭ ବର୍ଷୀୟା ମହିଳାଜଣଙ୍କ ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ବଞ୍ଚୁଥିଲେ। ଏପରିକି ସେ ବିନା ସହାୟତାରେ ଛିଡ଼ା ମଧ୍ୟ ହୋଇ ପାରୁନଥିଲେ। ଗୁରୁଣ୍ଡି ଗୁରୁଣ୍ଡି ଯାତାୟାତ କରିବା ସହ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ଚିକିତ୍ସା ପାଇଁ କିଛି ଦିନ ପୂର୍ବରୁ ଏମ୍ସ ଅସ୍ଥିଶଲ୍ୟ ବିଭାଗକୁ ଆସିଥିଲେ। ପରୀକ୍ଷା ପରେ ଉଭୟ ଆଣ୍ଠୁ ଏବଂ ପିଚାର ଏକକାଳୀନ ପ୍ରତିରୋପଣର ଆବଶ୍ୟକତା ଥିବା ଡାକ୍ତରମାନେ କହିଥିଲେ। କିନ୍ତୁ ପୂର୍ବରୁ ଏକାସହ ଏଭଳି ପ୍ରତିରୋପଣ କରାଯାଇ ନଥିବାରୁ ଡାକ୍ତରଙ୍କ ପାଇଁ ଏହା ଆହ୍ବାନପୂର୍ଣ୍ଣ ଥିଲା। ୩ ଘଣ୍ଟାର ଅସ୍ତ୍ରୋପଚାରରେ ପ୍ରଥମେ ଦୁଇ ପିଚା ଏବଂ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରାଯାଇଥିଲା। ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା। ପରେ ଯନ୍ତ୍ରଣା କମିବା ସହ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ।

ଅସ୍ଥିଶଲ୍ୟ ବିଭାଗର ଡ. ସୁଜିତ କୁମାର ତ୍ରିପାଠୀ, ଡ. ମଣ୍ଟୁ ଜୈନ ଏବଂ ନିଶ୍ଚେତକ ବିଭାଗ ଡ. ଶ୍ରୀତମସ୍ବରୂପ ଜେନାଙ୍କ ନେତୃତ୍ବରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ସଫଳତା ହାସଲ କରିଛନ୍ତି। ଡ. ସ୍ବାଗତା ତ୍ରିପାଠୀଙ୍କ ତତ୍ତ୍ବାବଧ।ନରେ ରୋଗୀଙ୍କୁ ଆଇସିୟୁ ଚିକିତ୍ସା ମିଳିଥିଲା। ପ୍ରତିରୋପଣ ଏବଂ ଅସ୍ତ୍ରୋପଚାର ସରକାରୀ ଯୋଜନାରେ ମାଗଣାରେ ହୋଇଥିଲା।
ସୂଚନାଯୋଗ୍ୟ, ଏକକାଳୀନ ଏପରି ଚାରିଟି ପ୍ରତିରୋପଣ ପୂର୍ବରୁ ଏମ୍ସ ଦିଲ୍ଲୀରେ ଜଣେ ଓଡ଼ିଆ ରୋଗୀଙ୍କର କରାଯାଇଥିଲା। ଏଭଳି ବିରଳ ଅସ୍ତ୍ରୋପଚାର ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ଏବଂ ଅଧୀକ୍ଷକ ଦିଲ୍ଲୀପ ପରିଡ଼ା ଡାକ୍ତରୀଦଳକୁ ଧନ୍ୟବାଦ ଦେଇଥିଲେ।