Odia News Portal

ମହିଳା ବିଶ୍ୱକପ ଟି-୨୦: ସ୍ଥାନ ବଜାୟ ରଖିବ ଅଷ୍ଟ୍ରେଲିଆ ନା ବାଜି ମାରିନବ ଦକ୍ଷିଣ ଆଫ୍ରିକା

ଆଜି (ରବିବାର) ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉଦ୍‌ଯାପିତ ହେବ। କିଏ ଏଥର ବିଶ୍ବ ବିଜେତା ହେବ। ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳିଧରିବ ତାହା ରବିବାର ଫାଇନାଲ୍‌ ମୁକାବିଲା ପରେ ସ୍ପଷ୍ଟ ହୋଇଯିବ। ତେଣୁ ଫାଇନାଲ୍‌ରେ ୫ ଥର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ସାମ୍‌ନାରେ ଉଭା ହେବ ଦକ୍ଷିଣ ଆଫ୍ରିକା। ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ବ କପ୍‌ ହାସଲ କରିବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ହୋଇଯିବ। ନଚେତ୍‌ ଅଷ୍ଟ୍ରେଲିଆ ମହିଳା ଦଳ ବିଶ୍ବ ବିଜେତା ବୋଲି ପୁଣି ଥରେ ପ୍ରମାଣିତ ହୋଇଯିବ। ଏଥର ଫାଇନାଲିଷ୍ଟଙ୍କୁ ଦେଖିଲେ ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା ଗୋଟିଏ ଗ୍ରୁପ୍‌ର ଦୁଇ ଦଳ ଟ୍ରଫି ପାଇଁ ଲଢ଼ିବେ। ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌-୧ରେ ସ୍ଥାନ ପାଇଥିଲା ବେଳେ ଦୁହେଁ ମଧ୍ୟ ଫାଇନାଲ୍‌ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଅର୍ଥାତ୍‌ ଗ୍ରୁପ୍‌-୨ରୁ କୌଣସି ଦଳ ଫାଇନାଲ୍‌କୁ ଯୋଗ୍ୟତା ହାସଲ କରିପାରିଲେନି। କାରଣ ଗ୍ରୁପ୍‌-୨ରୁ ଶ୍ରେଷ୍ଠ ୨ ଦଳ ଭାବେ ସେମିଫାଇନାଲ୍‌ ଆସିଥିବା ଇଂଲଣ୍ଡ ଏବଂ ଭାରତ ସେହିଠାରୁ ବିଦାୟ ନେଇଗଲେ। ସେମିଫାଇନାଲ୍‌ରେ ଭାରତକୁ ୫ ରନ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ କ୍ରମାଗତ ସପ୍ତମ ଥର ପାଇଁ ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଇଂଲଣ୍ଡକୁ ୬ ରନ୍‌ରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ଗ୍ରୁପ୍‌-୧ରେ ୪ ମ୍ୟାଚ୍‌ରୁ ୪ ଜିତି ଅଷ୍ଟ୍ରେଲିଆ ଅପରାଜେୟ ସହ ସେମିଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାଠୁ ହାରିବା ସତ୍ତ୍ବେ ନ୍ୟୁଜିଲାଣ୍ଡ ଓ ବାଂଲା‌ଦେଶକୁ ପରାସ୍ତ କରି ଉନ୍ନତ ରନ୍‌ ରେଟ୍‌ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ତେଣୁ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଗ୍ରୁପ୍‌ ବିଜୟକୁ ଦୋହରାଇବା ଲକ୍ଷ୍ୟ ରଖିଥିଲା ବେଳେ ଘରୋଇ ଦକ୍ଷିଣ ଆଫ୍ରିକା ପରାଜୟର ମଧୁର ପ୍ରତିଶୋଧ ଲକ୍ଷ୍ୟରେ ନିଶ୍ଚିତ ରହିବ। ଦକ୍ଷିଣ ଆଫ୍ରିକା ଗତ ସଂସ୍କରଣରେ ସେମିଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲା।

ଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ହେଲେ ଲୌରା ଉଲ୍‌ଭର୍ଟ, ତାମିନ ବ୍ରିଟ୍‌ସ, ଅଲ୍‌ରାଉଣ୍ଡର ମାରିଜାନେ କାପ୍‌ଙ୍କୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ। ସେମାନଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କଠୁ ରନ୍‌ ବାହାର କରିବାକୁ ପଡ଼ିବ। ପୁଣି ବୋଲିଂରେ ସବ୍‌ନିମ ଇସ୍‌ମାଇଲ, ଆୟାବୋଙ୍ଗା ଖାକା, ନାଦିନେ ଡି କ୍ଲେର୍କ ଏବଂ କାପ୍‌ଙ୍କୁ ପ୍ରଭାବୀ ସାବ୍ୟସ୍ତ ହୋଇ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ପଡ଼ିବ। ନଚେତ୍‌ ଆଲିସା ହିଲି, ବେଥ୍‌ ମୁନି, ଅଧିନାୟିକା ମେଗ୍‌ ଲାନିଂ, ବିସ୍ଫୋରକ ଆସ୍‌ଲେ ଗାର୍ଡନର, ଏଲିସେ ପେରି ଏବଂ ଗ୍ରେସ୍‌ ହାରିସ୍‌ଙ୍କୁ ନେଇ ଶକ୍ତିଶାଳୀ ବ୍ୟାଟିଂକ୍ରମ ରଖିଥିବା ଅଷ୍ଟ୍ରେଲିଆ ବାଜି ମାରି‌ନେବ। ବୋଲିଂରେ ଦାର୍ସି ବ୍ରାଉନ, ଗାର୍ଡନର, ଜେସ୍‌ ଜୋନାସେନ, ମେଘନା ଶ୍ଚୁଟ୍‌ ଏବଂ ତାହିଲା ମ୍ୟାକ୍‌ଗ୍ରା ପ୍ରତିପକ୍ଷ ପାଳିକୁ ବିପର୍ଯ୍ୟୟ ମୁହାଁ କରିବାର ସାମର୍ଥ୍ୟ ରଖନ୍ତି। ତେଣୁ ଉଭୟ ବ୍ୟାଟିଂ ଓ ବୋଲିଂରେ କିଛି କମାଲ ନଦେଖାଇଲେ ଦକ୍ଷିଣ ଆଫ୍ରିକାର ବିଶ୍ବକପ୍‌ ଜିତିବା ସ୍ବପ୍ନ ଅଧୂରା ରହିଯିବ। କିନ୍ତୁ ଅଧିନାୟିକା ସୁନେ ଲୁସ୍‌ ତାଙ୍କ ବୋଲିଂ ଆକ୍ରମଣ ବିଶ୍ବର ଶ୍ରେଷ୍ଠ ବୋଲି ଫାଇନାଲ୍‌ ପୂର୍ବରୁ ଚେତାଇ ଦେଇଛନ୍ତି। ପୁଣି ଦକ୍ଷିଣ ଆଫ୍ରିକା ଦଳକୁ ଘରୋଇ ଦର୍ଶକଙ୍କ ପୂରା ସମର୍ଥନ ମିଳିବ। ଫଳରେ ଆମେ ବିଜେତା ହେବା ପାଇଁ ସମସ୍ତ ପ୍ରୟାସ କରିବୁ ବୋଲି ଲୁସ୍‌ କହିଛନ୍ତି।