Odia News Portal

ମହିଳା ବିଶ୍ୱକପ ଟି-୨୦; ପୁଣି ଥରେ ଅଷ୍ଟ୍ରେଲିଆ ଜିତିଲା ବିଶ୍ୱ ମୁକୁଟ

ଅଷ୍ଟ୍ରେଲିଆ ମହିଳା ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ସହ ଡବଲ୍‌ ହ୍ୟାଟ୍ରିକ ଅର୍ଜନ କରିଛି। ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି। ରବିବାର ରାତିରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଥର ଫାଇନାଲ୍ ଆସିଥିବା ଦକ୍ଷିଣ ଆଫ୍ରିକାକୁ ୧୯ ରନ୍‌ରେ ହରାଇ ଦେଇଥିଲା। ଏଥି ସହ ପ୍ରଥମ ଥର ବିଶ୍ବ ମୁକୁଟ ଜିତିବା ଆଶାରେ ଥିବା ଘରୋଇ ଦକ୍ଷିଣ ଆଫ୍ରିକାର ସ୍ବପ୍ନ ଚୁରମାର୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପୂର୍ବରୁ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦ରେ ମଧ୍ୟ ବିଜେତା ହୋଇଥିଲା। ଅନ୍ୟ ଦୁଇଟି ଦଳ ଇଂଲଣ୍ଡ (୨୦୦୯) ଏବଂ ୱେଷ୍ଟଇଣ୍ଡିଜ୍ (୨୦୧୬) ଥରେ ଲେଖାଏଁ ଏହି ବିଶ୍ବକପ୍‌ ସମ୍ମାନ ପାଇଛନ୍ତି।

ରବିବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। ପାୱାର ପ୍ଲେ ଭିତରେ ୩୬/୧ରେ ରହି ମୂଳଦୁଆ ପକାଇବା ପରେ ବେଥ୍ ମୁନିଙ୍କ ଅପରାଜିତ ଅର୍ଦ୍ଧଶତକ (୫୩ ବଲ୍‌ରୁ ୭୪* ରନ୍‌, ୯ ଚୌକା, ୧ ଛକା) ବଳରେ ୧୫୬/୬ରେ ପହଞ୍ଚିଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଲିସା ହିଲି ୨୦ ବଲ୍‌ରୁ ୧୮ ରନ୍ ଏବଂ ଆସଲେ ଗାର୍ଡନର୍‌ ୨୧ ବଲ୍‌ରୁ ୨୯ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସବନିମ୍ ଇସମାଇଲ୍ (୪-୧-୨୬-୨), ମାରିଜାନ୍ କାପ୍ (୪-୦-୩୫-୨), କ୍ଲୋ ଟାଏନ୍ (୨-୦-୧୫-୧),‌ ‌ନୋଙ୍କୁଲୁଲେକୋ ଏମ୍‌ବା (୩-୦-୨୪-୧) ୱିକେଟ୍ ଦଖଲରେ ସଫଳ ହୋଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପାୱାର ପ୍ଲେ ଭିତରେ ମନ୍ଥର ଖେଳିବା (୬ ଓଭରରେ ୨୨/୧) କାରଣରୁ ଶେଷକୁ ବିଜୟ ଲକ୍ଷ୍ୟରେ ପହଞ୍ଚିପାରିନଥିଲା। ଲୌରା ୱଲଭର୍ଟ (୪୮ ବଲ୍‌ରୁ ୬୧ ରନ୍‌) ୧୭ତମ ଓଭର ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଯଥେଷ୍ଟ ହୋଇନଥିଲା। କ୍ଲେ ଟ୍ରାଏନ୍ (୨୩ ବଲ୍‌ରୁ ୨୫* ରନ୍) କିଛି ସମୟ ଲଢ଼ିଥିଲେ ମଧ୍ୟ ଦଳକୁ ବିପଦରୁ ବାହାର କରିପାରିନଥିଲେ। ଅଭିଜ୍ଞ ଖେଳାଳି ତଜମିନ୍‌ ବ୍ରିଟ୍ସ, ମାରିଜାନ୍ କାପ୍‌ ଅଧିନାୟିକା ସୁନ୍ ଲୁସ୍ ବିଫଳ ହେବା ଦକ୍ଷିଣ ଆଫ୍ରିକାକୁ ଅଧୁରା ସ୍ବପ୍ନ ସହ ବିଦାୟ ନେବାକୁ ବାଧ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ୧୩୭/୬ରେ ସୀମିତ ରହିଥିଲା। ମେଗନ୍ ସ୍କଟ୍, ଆସଲେ ଗାର୍ଡନର, ଡାର୍ସି ବ୍ରାଉନ୍‌, ଜେସ୍‌ ‌ୟୋନାସନ୍‌ ଗୋଟିଏ ‌ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବେଥ୍ ମୁନି ଫାଇନାଲ୍‌ର ଏବଂ ଆସଲେ ଗାର୍ଡନର୍ (୧୧୦ ରନ୍‌, ୪ ୱିକେଟ୍‌) ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।