Odia News Portal

ମ୍ୟାଚ୍‌ ପୂର୍ବରୁ ପ୍ରାର୍ଥନା କଲେ ଦୁଇ ଦେଶର ପ୍ରଶଂସକ

ଦୁବାଇ: ଶନିବାର ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଟି୨୦ ବିଶ୍ୱକପ୍‌ର ବହୁ ପ୍ରତିକ୍ଷିତ ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରାର୍ଥନା କରିଛନ୍ତି ପ୍ରଶଂସକ। ଯାହା ଫଳରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ ଦେଶ ମଧ୍ୟରେ ଅଧିକ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ କାରଣରୁ ୨୦୦୭ରୁ ଦୁଇ କ୍ରିକେଟ ପାଗଳ ଦେଶମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ଖେଳାଯାଉ ନାହିଁ। କେବଳ ୨୦୧୨-୧୩ରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ୨ଟି ଟ୨୦ ମ୍ୟାଚ୍‌ ଖେଳାଯାଇଥିଲା। ଏହାପରଠୁ କେବଳ ଆଇସିସି ଇଭେଣ୍ଟରେ ଦୁଇ ଦଳ ପରସ୍ପର ସହ ଖେଳୁଛନ୍ତି।

ଆମକୁ ପରସ୍ପର ସହ ଅଧିକ ମ୍ୟାଚ୍‌ ଖେଳିବା ଦରକାର। କ୍ରିକେଟ ଫିଲ୍ଡରେ ଦୁଇ ଦଳକୁ ଦେଖିବାର ମଜା ନିଆରା। ରାଜନେତାମାନେ ନିଜ ଫାଇଦା ପାଇଁ ଏହାକୁ ବିଗାଡ଼ିବା ଉଚିତ ନୁହେଁ। ପାକିସ୍ତାନକୁ ମଧ୍ୟ କ୍ରିକେଟ ଖେଳିବାକୁ ଦିଅ। ମୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଲାଗି ପ୍ରାର୍ଥନା କରୁଛି ବୋଲି ୟୁଏଇରେ ରହୁଥିବା ଜଣେ ପାକିସ୍ତାନ ନାଗରିକ ମହମ୍ମଦ ଅଶ୍ରଫ କହିଛନ୍ତି।

ସେହିଭଳି ୨୦୧୭ରୁ ୟୁଏଇରେ କାମ କରୁଥିବା ପଙ୍ଖୁରି ରାଜ ମେହତା କହିଛନ୍ତି, ମ୍ୟାଚ୍‌ ଟିକେଟ୍‌ ଅନଲାଇନ୍‌ରେ ଉପଲବ୍ଧ ହେବାର ତୁରନ୍ତ ପରେ ମୁଁ ଟିକେଟ୍‌ କିଣିଥିଲି। ଏଭଳି ମ୍ୟାଚ୍‌କୁ ଉପଭୋଗ କରିବାର ସୁଯୋଗ କିଏ ବା ଛାଡ଼ି ପାରିବ। ପାକିସ୍ତାନ ସହ ସର୍ବଦା ସମସ୍ୟା ଲାଗି ରହିଛି। ରାଜନେତାମାନେ ଏହାର ସମାଧାନ କରିବା ଉଚିତ। ଯାହା ବି ହେଉ, ମୁଁ ମୋ ସ୍ବାମୀଙ୍କ ସହ ମ୍ୟାଚ୍‌ ଏଞ୍ଜେୟ କରିବି।