Odia News Portal

ଭାରତୀୟ ନୌସେନାର ଶକ୍ତି ବଢ଼ାଇଲା INS ନିପୁଣ

ଭାରତୀୟ ନୌସେନାର ରଣନୈତିକ ଏବଂ ସାମରିକ କ୍ଷମତାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ନିସ୍ତାର-କ୍ଲାସ୍‌ର ଦ୍ୱିତୀୟ ଡାଇଭିଂ ସପୋର୍ଟ ଭେସେଲ୍‌ ବା DSV ‘ଆଇଏନଏସ ନିପୁଣ’କୁ ମୁମ୍ବାଇ ନୌସେନା ଡକୟାର୍ଡରେ ଆୟୋଜିତ ଏକ ବିଶେଷ କମିସନିଂ ସମାରୋହରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସୁରକ୍ଷା ବ୍ୟବସ୍ଥା ଦ୍ରୁତ ଗତିରେ ବଦଳୁଛି ଏବଂ ନୂଆ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ଭବିଷ୍ୟତର ବିପଦକୁ ମୁକାବିଲା କରିବା ପାଇଁ ନୌସେନାକୁ ସବୁବେଳେ ପ୍ରସ୍ତୁତ ରଖିବା ଆମର ସର୍ବୋଚ୍ଚ ଦାୟିତ୍ୱ। ଗଭୀର ସମୁଦ୍ରରେ ଡାଇଭିଂ ଏବଂ ବିଭିନ୍ନ ପାଣିତଳ ଅଭିଯାନ ପାଇଁ ଆଇଏନଏସ ନିପୁଣକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ଅତ୍ୟନ୍ତ କଠିନ ସମୁଦ୍ର ପରିସ୍ଥିତିରେ ମଧ୍ୟ ଏହା ଡାଇଭରମାନଙ୍କୁ ନିରନ୍ତର ଏବଂ ସୁରକ୍ଷିତ ସହାୟତା ଯୋଗାଇପାରିବ।

ଆଇଏନଏସ ନିପୁଣର ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବେ ନିର୍ମିତ। ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ୍‌ ବା HSL ଏହି ଜାହାଜର ଡିଜାଇନ୍ ଏବଂ ନିର୍ମାଣ କରିଛି। ତେଣୁ ଏହା ‘ଆତ୍ମନିର୍ଭର ଭାରତ’ ଅଭିଯାନର ମଧ୍ୟ ଏକ ଉଲ୍ଲେଖନୀୟ ଉଦାହରଣ। ଏହି ଆଧୁନିକ ଜାହାଜରେ ଉନ୍ନତ ନାଭିଗେସନ୍ ସିଷ୍ଟମ, ପ୍ଲାଟଫର୍ମ ମ୍ୟାନେଜମେଣ୍ଟ ଏବଂ ସଠିକ୍ ଷ୍ଟେସନ୍-କିପିଂ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏହା ସହିତ ବୁଡ଼ାଜାହାଜ ଉଦ୍ଧାର, ଗଭୀର ସମୁଦ୍ରରେ ଡାଇଭିଂ ଏବଂ ଜରୁରୀକାଳୀନ ଚିକିତ୍ସା ସହାୟତା ପାଇଁ ମଧ୍ୟ ଏଥିରେ ଅତ୍ୟାଧୁନିକ ସୁବିଧା ରହିଛି। ପଶ୍ଚିମ ନୌସେନା କମାଣ୍ଡ ଅଧୀନରେ ଭାରତର ପଶ୍ଚିମ ଉପକୂଳରେ ଏହି ଜାହାଜକୁ ନିୟୋଜିତ କରାଯିବ। ଆଇଏନଏସ ନିପୁଣର ସାମିଲ ହେବା ଦ୍ୱାରା ଭାରତୀୟ ନୌସେନାର ବୁଡ଼ାଜାହାଜ ଉଦ୍ଧାର ଏବଂ ପାଣିତଳ ଅଭିଯାନ କ୍ଷମତା ଆହୁରି ମଜବୁତ ହେବ।

କେବଳ ଭାରତର ସାମୁଦ୍ରିକ ସୀମାର ସୁରକ୍ଷା ନୁହେଁ, ଭାରତ ମହାସାଗର ଅଞ୍ଚଳରେ ଭାରତର ସାମୁଦ୍ରିକ ପ୍ରଭାବ ଏବଂ ରଣନୈତିକ ସ୍ଥିତିକୁ ମଧ୍ୟ ଏହି ନୂଆ ଯୁଦ୍ଧଜାହାଜ ଆହୁରି ସୁଦୃଢ଼ କରିବ। ଅର୍ଥାତ୍‌, ଭବିଷ୍ୟତର ସମୁଦ୍ର ସୁରକ୍ଷା ଚ୍ୟାଲେଞ୍ଜକୁ ମୁକାବିଲା କରିବା ଦିଗରେ ଆଇଏନଏସ ନିପୁଣ ଭାରତୀୟ ନୌସେନା ପାଇଁ ଏକ ନୂଆ ଶକ୍ତି ଭାବେ ଉଭା ହୋଇଛି।