Odia News Portal

ଆଇପିଏଲ୍‌ ମହାମୁକାବିଲା: କେକେଆର ଏବଂ ସନ୍‌ରାଇଜର୍ସ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜିର ଆଇପିଏଲ୍‌ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବ। ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଇୟନ ମୋର୍ଗାନ ପ୍ରଥମ ଥର ପାଇଁ ଏକ ସମ୍ପୂର୍ଣ୍ଣ ଆଇପିଏଲ୍‌ ସିଜନରେ ଦଳର ନେତୃତ୍ୱ ନେବେ । ଅନ୍ୟ ପଟରେ ଡେଭିଡ୍‌ ୱାର୍ଣ୍ଣର ସନରାଇଜର୍ସ ଦଳର ମଙ୍ଗ ସମ୍ଭାଳିବେ । ଗତ ଆଇପିଏଲ୍ ସିଜନରେ ସାଧାରଣ ପ୍ରଦର୍ଶନ କରିଥିବା କୋଲକାତାର ନେତୃତ୍ୱ ମୋର୍ଗା‌ନ ଲିଗ୍‌ ଅଧାରୁ ଦୀନେଶ କାର୍ତିକଙ୍କଠାରୁ ଗ୍ରହଣ କରିଥିଲେ। ଲିଗ୍ ଶେଷରେ କେକେଆର୍‌ ଏବଂ ଆରସିବି ସମାନ ପଏଣ୍ଟରେ ଅଭିଯାନ ଶେଷ କରିବାରୁ ଉନ୍ନତ ରନ୍‌ ହାରରେ ପଛରେ ପଡ଼ିଯାଇ ମୋର୍ଗାନଙ୍କ ଦଳ ପ୍ଲେ ଅଫ୍‌ ଯାଇପାରିନଥିଲା। ପ୍ରଥମ ଥର ଦଳର ନେତୃତ୍ୱ ନେଇଥିବା ବିଶ୍ୱକପ୍‌ ବିଜେତା ଇଂଲଣ୍ଡ ଅଧିନାୟକ ମୋର୍ଗାନ୍‌ ଏଥିରେ ନୂଆ ଉତ୍ସାହ ଭରି ଦେଇଥିଲେ।

ଚଳିତ ସିଜନରେ ନାଇଟ୍‌ ରାଇଡର୍ସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି । ଦଳର ସୁନିଲ ନାରାଏନ୍‌ ଓ ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ନାଇଟ୍‌ ରାଇଡର୍ସ ବିଗତ ଦିନରେ ଅନେକ ମ୍ୟାଚ୍‌ ଜିତିଛି । ଏଥର ସାକିବ ଅଲ୍‌ ହାସନ ଦଳରେ ଯୋଗ ଦେଇଛନ୍ତି । ୨୦୧୨ ଓ ୨୦୧୪ରେ ନାଇଟ ରାଇଡର୍ସକୁ ଚାମ୍ପିଅନ୍‌ କରାଇବାରେ ସାକିବଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ଚଳିତ ବର୍ଷ କୋଲକାତା ନାଇଟ୍‌ ରାଇଡର୍ସ ଦଳରେ : ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

ସନରାଇଜର୍ସର ବ୍ୟାଟିଂ ବିଭାଗରେ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଯେକୌଣସି ବିଶାଳ ସ୍କୋର୍‌ ପିଛା କରି ଦଳକୁ ଜିତାଇବାର କ୍ଷମତା ରଖିଛନ୍ତି । ‘ଆଇସ କୁଲ୍‌’ କେନ ୱିଲିୟମସନ୍‌, ମନୀଷ ପାଣ୍ଡେଙ୍କ ଭଳି ଅଭିଜ୍ଞ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ଦଳରେ ଅଛନ୍ତି । ଭୁବନେଶ୍ୱର କୁମାର ଫିଟ୍‌ ହୋଇ ଫେରିବା ପରେ ଦଳର ବୋଲିଂ ବିଭାଗ ସନ୍ତୁଳିତ ହୋଇଛି । ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ନର (ଅଧିନାୟକ),ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପା‌ଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଖଲିଲ ଅହମ୍ମଦ, ସିଦ୍ଧାର୍ଥ ‌‌କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।