Odia News Portal

ଝରାଫୁଲ ମୃତ୍ୟୁ: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ । ଝରାଫୁଲଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାକେଶ ସ୍ୱାଇଁକୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟରୁ ଅନେକ ପରଦା ହଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ ।ସେପଟେ ଘଟଣାର ଅଧିକ ତଦନ୍ତ ନିମନ୍ତେ ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ । ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୋଲିସ ।

ତେବେ ଆଜି ସାମ୍ନାକୁ ଆସିଥିବା ଏହି ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ୨୬ ତାରିଖରେ ପେଟ କାଟୁଥିବା କହି ବସ୍‌ରୁ ଓହ୍ଲାଇ ପଡ଼ିଥିବା ଝରାଫୁଲ ତାଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କ ସହ ରାଜଧାନୀର ଏକ ବିରିୟାନୀ ସେଣ୍ଟରକୁ ଖାଇବାକୁ ଯାଇଥିଲେ । ଦିନ ୧୨ଟା ୨୦ରେ ଦୁହେଁ ବିରିୟାନୀ ସେଣ୍ଟରକୁ ଯାଇ ୨ଟି ବିରିୟାନି ଅର୍ଡର କରିଥିଲେ। ହେଲେ ଝରାଫୁଲଙ୍କ ପେଟ କାଟିବାରୁ ସେ ନିକଟସ୍ଥ ଅନ୍ୟ ଏକ ଟେବୁଲକୁ ଯାଇ ଏକୁଟିଆ ବସିଥିଲେ। ଏପରିକି ସେଠାରେ ବାନ୍ତି କରି ଟେବୁଲ ଉପରେ କିଛି ସମୟ ଶୋଇପଡ଼ିଥିଲା। ଏହାପରେ ରାକେଶ ବିରିୟାନି ଖାଇ ସାରିବା ପରେ ଝରାଫୁଲ ପାଖକୁ ଯାଇ ପାଣି ପିଇବାକୁ ଦେଇଥିଲେ। ଉଭୟ ସେଠାରେ ପ୍ରାୟ ୩୫ ମିନିଟ ରହିବା ପରେ ଦିନ ୧ଟା୦୫ରେ ସେଠାରୁ ବାହାରି ଯାଇଥିଲେ। ତେବେ ରେଷ୍ଟୁରାଣ୍ଟରୁ ସେମାନେ ଘରୋଇ ଗେଷ୍ଟହାଉସ୍‌ କୁ ଯାଇଥିବା ସନ୍ଦେହ କରାଯାଉଛି ।

ସେପଟେ ମୃତ୍ୟୁର ପୂର୍ବ ରାତିରେ ରାକେଶଙ୍କ ସହ ଝରାଫୁଲ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଥିଲେ ।ତେବେ ରାକେଶ ଓ ଝରାଫୁଲ ରେଷ୍ଟୁରାଣ୍ଟରେ ଏମିତି କଣ ଖାଇଥିଲେ ଯେ ତାଙ୍କର ବାନ୍ତି ହୋଇଥିଲା ? । ୨୬ ତାରିଖ ରାତିରେ ଗେଷ୍ଟ ହାଉସ୍‌ରେ ଏପରି କଣ ହୋଇଥିଲା ଯେ ତାଙ୍କ ଦେହ ଖରାପ ହୋଇଗଲା ଆଉ ସକାଳୁ ପାଟିରୁ ଫେଣ ବାହାରିଥିଲା ? କାହିଁକି ଅସୁସ୍ଥ ଝରାଫୁଲଙ୍କୁ ବୟଫ୍ରେଣ୍ଡ ରାକେଶ ଡାକ୍ତରଖାନା ନେଇ ନଥିଲେ ? କେଉଁ ପରିସ୍ଥିତିରେ ଝରାଫୁଲଙ୍କର ଜୀବନ ଗଲା? । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।