Odia News Portal

ତେଜିଲା ଟୀକା ବିବାଦ : ଅଣଏନଡିଏ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜୟନ୍

ତିରୁଅନନ୍ତପୁରମ : ଦେଶରେ ସଂପ୍ରତି ୧୮ ରୁ ୪୪ ବର୍ଷ ବର୍ଗଙ୍କ  ଟିକାକରଣ ଜାରି ରହିଛି।  ହେଲେ ପର୍ଯ୍ୟାପ୍ତ ମାତ୍ରାରେ ଟିକା ଉପଲବ୍ଧ ହୋଇ ପାରୁନଥିବାରୁ ଟିକାକରଣ ପ୍ରଭାବିତ  ହେଉଛି। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୀତି ଚାଲିଛି। ଏହା ମଧ୍ୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଶର ୧୧ ଅଣ ଏନଡିଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି , ୧୧ ରାଜ୍ୟ ସରକାର ଏକାଠି ହୋଇ ମାଗଣାରେ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ଉପରେ ଚାପ ପକାଯାଉ।

ବିଜୟନ ଏହି ଚିଠି ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କ ପାଖକୁ ପଠାଇଛନ୍ତି। ବିଜୟନ ଏହି ଚିଠି ରାଜ୍ୟଗୁଡିକୁ ସେହି ସମୟରେ ଲେଖିଛନ୍ତି, ଯେଉଁ ସମୟରେ ସୁପ୍ରିମକୋର୍ଟ ଦେଶରେ ଟିକାର ଗୋଟିଏ ଦର ନିର୍ଦ୍ଧାରଣ କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହି ଜାତୀୟ ବିପତ୍ତି ସମୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଭ୍ୟାକ୍ସିନର ଉତ୍ତମ ଯୋଗାଣ ସହ ରାଜ୍ୟ ଗୁଡିକ ସହ ଉତ୍ତମ ସମନ୍ଵୟ ରଖିବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଶ୍ରୀ ବିଜୟନ୍ ଦୁଇ ପୃଷ୍ଠାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କୁ ମାଗଣା ଟିକାକରଣ ନିମନ୍ତେ କୋଭିଡ୍ ଟିକା କ୍ରୟ କରିବାର ନିଜର ଦାୟିତ୍ୱ ଓ ସଂଘୀୟ ସହଭାଗିତାର ଭାବନାରୁ କେନ୍ଦ୍ର ସରକାର ଓହରି ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାର କିଭଳି ତୁରନ୍ତ ଟିକା କ୍ରୟ କରି ସମସ୍ତ ରାଜ୍ୟକୁ ଦେବେ ସେ ନେଇ ମିଳିତ ଭାବେ ଚାପ ପକାଇବାର ସମୟ ଏବେ ଆସିଛି ।

କେନ୍ଦ୍ର ସରକାର ନିଜେ କୋଭିଡ୍ ଟିକା କ୍ରୟ କରି ସେଗୁଡ଼ିକ ମାଗଣାରେ ରାଜ୍ୟଗୁଡ଼ିକ ଯୋଗାଇ ଦିଅନ୍ତୁ, ଯାହାଫଳରେ ତାହା କମ୍ ଖର୍ଚ୍ଚରେ ସମ୍ଭବପରହେବ ବୋଲି ଶ୍ରୀ ବିଜୟନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କୋଭିଡ୍ ଟିକା କ୍ରୟ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମିଳିତ ଚାପ ପକାଇବାର ଆବଶ୍ୟକତା ରହିଛି ।

ଏବେ କୋଭିଡ୍ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ନିଜର ଆର୍ଥିକ ଫାଇଦା ପାଇଁ ଟିକା ଯୋଗାଣର ଅଭାବ ପରିସ୍ଥିତି ସୃଷ୍ଟି କରୁଥିବାବେଳେ ବିଦେଶୀ କମ୍ପାନୀଗୁଡ଼ିକ କୋଭିଡ୍ ଟିକା ଯୋଗାଣ ନେଇ ରାଜ୍ୟଗୁଡ଼ିକ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁନାହାନ୍ତି । ତେଣୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଲାଇସେନ୍ସ ବିକଳ୍ପକୁ ଚୟନ କରିବାର ଆବଶ୍ୟକତା ରହିଛି । ଯଦି ରାଜ୍ୟଗୁଡ଼ିକ ଉପରେ କୋଭିଡ୍ ଟିକା କ୍ରୟର ସମସ୍ତ ଆର୍ଥିକ ବୋଝ ରୁହେ ତା’ହେଲେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯିବ ।