Odia News Portal

ସଙ୍କଟରେ ଆଗେଇ ଆସିଲେ ବୋଲର କମିନ୍ସ

ପିଏମ କେୟାର୍ସ ଫଣ୍ଡରେ ୫୦ ହଜାର ଡଲାର ଦେବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତରେ ଦ୍ୱିତୀୟ ଲହରର ଭୟାବହ ଦୃଶ୍ୟ ସାରା ବିଶ୍ୱ ଦେଖୁଛି । ଭାରତକୁ ସାହାଯ୍ୟ ପାଇଁ ବିଦେଶରୁ ସାହାଯ୍ୟ ମିଳିଲାଣି । ଦେଶରେ ଅକ୍ସିଜେନ୍ ସଙ୍କଟ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅକ୍ସିଜେନ ଅଭାବରୁ ବହୁ ଲୋକଙ୍କ ଜୀବନ ଯାଉଛି । ତେଣୁ ପିଏମ୍ କେୟାର ସହାୟତାରେ ଦେଶରେ ୫୫୧ ଅକ୍ସିଜେନ ସେଂଟର ଖୋଲାଯିବାକୁ ନିଷ୍ପତି ନିଆଯାଇଛି । ଏହି ସଙ୍କଟ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ। ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଣ ପାଇଁ କମିନ୍ସ ପ୍ରାୟ ୩୭ ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍ତି। ସେ ଗରିବ ଲୋକଙ୍କ ସାହାଯ୍ୟ ପାଇଁ ପିଏମ କେୟାର୍ସ ଫଣ୍ଡରେ ୫୦ ହଜାର ଡଲାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଟୁଇଟ୍‌ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଭାରତ ଏକ ଏମିତି ଦେଶ ଯେଉଁଠି ଗତ କିଛି ବର୍ଷ ହେବ ମୋତେ ବହୁତ ଭଲ ପାଇବା ମିଳିଛି। ଏଠାକାର ଲୋକେ ବହୁତ ଭଲ ଏବଂ ସପୋର୍ଟିଂ।

କମିନ୍ସ କହିଛନ୍ତି, ମୁଁ ମୋର ସାଥୀ ଖେଳାଳିଙ୍କୁ ଅନୁରୋଧ କରୁଛି ଯେ, ସେମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।  ସଂପ୍ରତି ପ୍ରତିଟି ବ୍ୟକ୍ତି ନିଜକୁ ଅସହାୟ ମନେ କରୁଛନ୍ତି। ବୋଧହୁଏ ମୋ ଦ୍ଵାର ମଧ୍ୟ ବିଳମ୍ବ ହୋଇଛି। ତଥାପି ଆମେ ସ୍ଥିତିର ମୁକାବିଲା ପାଇଁ ପ୍ରୟାସ ଜାରି ରଖିବା। ସେ ଲେଖିଛନ୍ତି, ହୋଇପାରେ ମୋର ଏହି ସାହାଯ୍ୟ ବଡ ହୋଇନପାରେ, ତଥାପି ଏଥିରେ କୌଣସି  ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିପାରେ। ଭାରତ ଗତ କିଛି ସମୟ ହେବ କରୋନା ଭାଇରସ୍‌ ସହ ସଂଘର୍ଷ ଜାରି ରଖିଛି। ଦ୍ଵିତୀୟ ଲହରରେ ସ୍ଥିତି ବହୁତ ବିଗିଡି ଯାଇଛି। ଏଥିରେ ପୂରା ଦେଶର ହସ୍ପିଟାଲଗୁଡିକରେ ଅକ୍ସିଜେନର ଘୋର ଅଭାବ ଦେଖିବାକୁ ମିଳିଛି। ଏମିତି ସମୟରେ ଜଣେ ଖେଳାଳି ହୋଇଥିବା ଯୋଗୁଁ ମୁଁ ପିଏମ କେୟାର୍ସ ଫଣ୍ଡରେ ୫୦ ହଜାର ୟୁଏସ୍ ଡଲାର(ପ୍ରାୟ ୩୭ ଲକ୍ଷ ଟଙ୍କା) ସହାୟତା ରାଶି ଦେବାକୁ ନିଷ୍ପତ୍ତି ନେଇଛି।

ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଷ୍ଟ୍ରେଲିଆ ଖେଳାଳି ଚଳିତ ଆଇପିଏଲ୍‌ରୁ ଓହରିବାରେ ଲାଗିଛନ୍ତି। ଏଥିରେ ଆଣ୍ଡ୍ର୍ୟୁ ଟାଇ, ଆଡମ ଜାମ୍ପା ଓ କେନ ରିରଚାର୍ଡସନଙ୍କ ପରି ଖେଳାଳି ସାମିଲ।