Odia News Portal

କଟା ହାତ,ଗଣ୍ଡି ପରେ ମିଳିଲା କଟାମୁଣ୍ଡ

ସୁନ୍ଦରଗଡ: ପ୍ରଥମେ କଟା ହାତ, ଗଣ୍ଡି ପରେ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ବୁଧବାର ଠାରୁ ସେ ନିଖୋଜ ଥିଲେ । ତେବେ ପ୍ରଥମେ କଟାହାତ ଗତକାଲି ସନ୍ଧ୍ୟାରେ ଏକ ବିଲରୁ ମିଳିଥିଲା । ଏହା ପରେ ଚାରି ଘଣ୍ଟା ଖୋଜାଖୋଜି କଲା ପରେ ଗାଁ ନିକଟ ନିର୍ମାଣାଧୀନ ଶୀତଳ ଭଣ୍ଡାର ନିକଟସ୍ଥ ପୋଖରୀରୁ ଗୋଡ଼ ଓ ମୁଣ୍ଡ ବିହୀନ ଗଣ୍ଡି ଉଦ୍ଧାର ହୋଇଥିଲା ।

ବୁଧବାର ଅପରାହ୍ନ ୩ଟାରେ ରମେଶ ପଞ୍ଚାୟତ ଅଫିସରୁ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଦେଖା ହୋଇଥିଲେ। ପରେ ରମେଶ ଓ ତାଙ୍କର ସେହି ବନ୍ଧୁ ବାଇକରେ କୁଆଡେ ବୁଲିବାକୁ ଯାଇଥିଲେ। ଶେଷଥର ବଡଭାଇଙ୍କ ସହ ରାତି ୭ ଟାରେ କଥା ହୋଇଥିଲେ ରମେଶ ଓ ବିଳମ୍ବିତ ରାତିରେ ଘରକୁ ଫେରିବେ ବୋଲି ମଧ୍ୟ ଜଣାଇଥିଲେ । ଏହା ପରେ ସେ ଫେରିନଥିଲେ ଓ ତାଙ୍କ ମୋବାଇଲ ମଧ୍ୟ ସ୍ୱିଚ ଅଫ ଥିଲା । ସକାଳ ପର୍ଯ୍ୟନ୍ତ ଘରକୁ ନଫେରିବାକୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।ତେବେ କାଲି ସନ୍ଧ୍ୟାରେ ରମେଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।