Odia News Portal

ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀରେ କଟକଣା ଜାରି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବତ୍ତର ରହିବ । ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ଏହାଛଡ଼ା ନୂଆବର୍ଷ ଉତ୍ସବ ମନାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିନାହିଁ ଏବଂ ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ ୧ ତାରିଖ ରାତି ୧୧ଟାରୁ ୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ବିଧିବଧ ଭାବେ ନୋଟିସ କରାଯାଇଛି ।

ସେହିପରି ନୂଆବର୍ଷକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ମୁମ୍ବାଇରେ ଆଜି ରାତି ୧୧ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରେଷ୍ଟୁରାଣ୍ଟ, ପବ୍, ବାର୍, ରୁଫଟପ୍, ବୋଟକୁ ନା କରାଯାଇଛି । ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବାଇ ପୁଲିସ୍ ଡ୍ରୋନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖିବ। ଗୋଟିଏ ସ୍ଥାନରୁ ୫ରୁ ଅଧିକ ଲୋକ ଯେପରି ନରହିବେ, ସେଥିପାଇଁ ୧୪୪ ଧାରା ଲଗାଯିବ।

କର୍ଣ୍ଣାଟକରେ ମଧ୍ୟ ଏଥର ଫିକା ପଡ଼ିବ ନୂଆ ବର୍ଷ | ବେଙ୍ଗାଲୁରୁ ପୁଲିସ୍ କମିଶନର ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଆରେ ନୂଆ ବର୍ଷ ପାଳନ ପାଇଁ କେବଳ ଦେଶ ନୁହେଁ, ବିଦେଶରୁ ମଧ୍ୟ ଲୋକ ଆସନ୍ତି। ହେଲେ ଏଥର ବିଦେଶରୁ ତ ଲୋକ ଆସୁନାହାନ୍ତି, କିନ୍ତୁ ଅଲଗା ରାଜ୍ୟରୁ ଲୋକେ ନୂଆବର୍ଷ ପାଳନ କରିବାକୁ ଗୋଆରେ ପହଞ୍ଚିଛନ୍ତି। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ରାଜ୍ୟରେ ନୂଆ ବର୍ଷ ମନାଇବା ପାଇଁ ୪୦ରୁ ୪୫ ଲକ୍ଷ ଲୋକେ ପର୍ଯ୍ୟଟକ ପହଞ୍ଚିଛନ୍ତି। ଏହାକୁ ଆଖି ଆଗରେ କୋଭଡ୍-୧୯ର ପ୍ରୋଟୋକଲକୁ କଠୋର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।