Odia News Portal

ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଏହା ଲୋକାର୍ପିତ ହୋଇଛି।

ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ପ୍ରଥମ କରି ଭୁବନେଶ୍ୱରରେ ଖୋଲିଛି। ରାଜଧାନୀର ବ୍ୟସ୍ତବହୁଳ ସ୍ଥାନ ସହିଦ ନଗରରେ ଏହା ଶୁଭାରମ୍ଭ ହୋଇଥିବା ବେଳେ ଆଗକୁ ପୁରୀ ଓ ସମ୍ବଲପୁରରେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ଭାବେ ବାହାର ପର୍ୟ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଖାଦ୍ୟ ମିଳିବ ବୋଲି କହିଛନ୍ତି।

୧୨୫ କେଜି ଓଡିଶା ମାନଚିତ୍ର ପ୍ରତିକୃତିର ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ପୋଡ଼ ପିଠା ନିର୍ମିତ ସ୍ୱତନ୍ତ୍ର କେକ୍ କାଟି ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। କାର୍ୟକ୍ରମରେ ସଂସ୍କୃତି ଓ ପର୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ।