Odia News Portal

ଭୋକର ଭୂଗୋଳ ଆଜି ଭାତହାଣ୍ଡି

କଳାହାଣ୍ଡି: କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମଙ୍ଗଳପୁରରେ ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀଙ୍କୁ ଏହି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି, ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି |କିଛିଲୋକ କଳାହାଣ୍ଡିକୁ ଗରିବୀର ଲାବ୍ରୋଟୋରି କରିବାକୁ ଚାହୁଁଥିଲେ |ସରକାରୀ ଉଦ୍ୟମରେ କଳାହାଣ୍ଡିର ଛବି ଆଜି ଉଜ୍ୱଳ ହୋଇଛି |କଳାହାଣ୍ଡି ଆଜି ଦେଶରେ ବିକାଶର ମଡେଲ ହୋଇଛି | ତେବେ ଇନ୍ଦ୍ରାବତୀ ନଦୀକୁ ସମ୍ମାନ ଜଣାଇ ଏଠାରେ ନିର୍ମାଣ ହେବ ମ୍ୟୁଜିୟମ ଓ ପାର୍କ | ପାର୍କରେ ମା ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରିଯିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ତେବେ ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ । କଳାହାଣ୍ଡି ଜିଲ୍ଲାର ସାଲେଭଟା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ସାନ୍ଦୁଲ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କାଶୀପୁର ୨୨୦-୩୩ କେଭି ଗ୍ରୀଡରୁ ଏକ ବିକଳ୍ପ ୩୩ କେଭି ଫିଡର୍‌ ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ୪ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ ସବଷ୍ଟେସନ, ଦଶପୁରରୁ ମଖଲା ପର୍ଯ୍ୟନ୍ତ ତେଲନଦୀ କୂଳରେ ୧୧ କେଭିର କୃଷି ଫିଡର୍‌ ଲାଇନ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।