Odia News Portal

ପଦ୍ମ ପାଖୁଡ଼ାରେ ଓଡ଼ିଆ ତାରକା

ପଦ୍ମ ପୋଖରୀକୁ ଡେଉଁଛି ଓଲିଉଡ । ତାରକା ଶୂନ୍ୟ ହେଉଛି ବିଜେଡି । କିଛି ଦିନ ତଳେ ବିଜପିକୁ ଡେଇଁ ଥିଲେ ଓଲିଉଡ ଅଭିନେତା ଅରିନ୍ଦମ ରାୟ । ଦୁଇ ଦିନ ତଳେ ବିଜେପିରେ ସାମିଲ ହେଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଆଉ ଗୋଟିଏ ଦିନରେ ବିଜେଡି ଛାଡିଛନ୍ତି ଦୁଇ ଓଲିଉଡ ସିନେଷ୍ଟାର ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ । ଏମାନେ ବି ଖୁବଶୀଘ୍ର ବିଜେପି ଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସିଦ୍ଧାନ୍ତ ମହାପାତ୍ର ବିଜେଡି ପକ୍ଷରୁ ଦୁଇ ଥର (୨୦୦୯ ଓ ୨୦୧୪) ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ରେ ଦଳ ତାଙ୍କୁ ଟିକେଟ ଦେଇନଥିଲ । ସେହିପରି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ୨୦୧୯ ରେ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ତାଙ୍କୁ ଦଳ ଗୋଟିଏ ଥର ରାଜ୍ୟସଭାକୁ ମଧ୍ଯ ପଠାଇଥିଲା । ତେବେ ଚଳିତ ଥର ବିଜେଡି ତାଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ କରିଛି ।
ସେହିପରି କୋରେଇର ପୂର୍ବତନ ବିଧାୟକ ତଥା ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ ମଧ୍ଯ ବିଜେଡି ଛାଡିଛନ୍ତି । ସେ ବି ବିଜେପିରେ ସାମିଲ ହୋଇପାରନ୍ତି । ବିଜେଡିର ଯୁବନେତା ତଥା ଅଭିନେତା ଅରିନ୍ଦମ ମଧ୍ଯ ବିଜେପିରେ ସାମିଲ ହୋଇସାରିଛନ୍ତି । ପୂର୍ବରୁ ଦଳରେ ଅଭିନେତ୍ରୀ ପିଙ୍କି ପ୍ରଧାନ ୨୦୧୯ ନିର୍ବାଚନରେ ଦିଗପହଣ୍ଡିର ବିଜେପି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜୟ ବରଣ କରିଥିବା ବେଳେ ଅଭିନେତା ଶ୍ରୀତମ ଦାସ କଟକରୁ ବିଜେପିର ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ହାରି ଯାଇଥିଲେ ।.ଏମାନଙ୍କ ବ୍ୟତୀତ ପଦ୍ମ ଦଳରେ ଓଲିଉଡର ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ସାମିଲ ଅଛନ୍ତି । ତେବେ ଚଳିତ ନିର୍ବାଚନରେ ବିଜେପି ଏହି ଓଲିଉଡ ଷ୍ଟାରମାନଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବ ନା ନିର୍ବାଚନ ପ୍ରଚାରରେ ନିୟୋଜିତ କରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେବେ ଏ ସବୁ ଭିତରେ ଏହି ଷ୍ଟାରମାନଙ୍କ ବିଜେଡି ପରିତ୍ୟାଗ ଦଳ ଉପରେ କିଭଳି ପ୍ରଭାବ ପକାଇବ ତାହା ମଧ୍ୟ ଦେଖିବାର କଥା ।