Odia News Portal

ପିପିଲିରେ ଚାଲିଛି ମତଦାନ

ପିପିଲି: ଚାଲିଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ପିପିଲି ଉପନର୍ବିାଚନ ଲାଗି ଭୋଟରମାନେ ଦେଉଛନ୍ତି ଭୋଟ । ସକାଳୁ ସକାଳୁ ଆଗ୍ରହର ସହ ଭୋଟରମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଉଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ମଧ୍ୟ ମତଦାନ କରିସାରିଲେଣି । ଆଜି୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ତେବେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ ହେଉଛି ଘମାଘୋଟ ଲଢ଼େଇ । ୩୪୮ଟି ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ । ଏଥିରୁ ୧୭୫ଟି ବୁଥରେ ଓ୍ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି । ୨୩ଟି ବୁଥରେ ମୁତୟନ ଅଛନ୍ତି ମାଇକ୍ରୋ ଅବଜରଭର୍ । ଶାନ୍ତିଶୃଙ୍ଖଳାରେ ମତଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଭୋଟ୍ ଗ୍ରହଣ କାର୍ୟ୍ୟରେ ନିୟୋଜିତ ଅଛନ୍ତି ୨୨ଶହରୁ ଅଧିକ ପୋଲିସ ଓ ସୁରକ୍ଷା କର୍ମଚାରୀ ।

ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ଆସନ ଖାଲି ପଡ଼ିଥିଲା । ଗତ ଏପ୍ରିଲ ମାସରେ ଉପନିର୍ବାଚନ ପାଇଁ ସରିଥିଲା ପ୍ରସ୍ତୁତି । ତେବେ ଭୋଟ୍ ଗ୍ରହଣର କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ଉପନିର୍ବାଚନ ସ୍ଥଗିତ ରହିଥିଲା । ପରେ ମେ’ ମାସରେ ଉପନିର୍ବାଚନ ନେଇ ଘୋଷଣା ହୋଇଥିଲା ତାରିଖ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍ଥଗିତ ରହିଥିଲା ପିପିଲି ଭୋଟ୍ । ଆସନ୍ତା ୩ ତାରିଖରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ଫଳାଫଳ ।