ରାଜଧାନୀ ଭୁବନେଶ୍ୱର ଓ କଟକରେ ସକାଳ ପାହିଲେ ଦାମୀ ବାଇକ୍ ଧରି ମାତୁଥିଲେ ଖଣ୍ଡିହାତ ଗ୍ୟାଙ୍ଗ ! ଫିଲ୍ମ ଷ୍ଟାଇଲ ରେ କରୁଥିଲେ ଲୁଟ୍ । ମର୍ଣ୍ଣିଂ ୱାକ୍ କରୁଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଘର ଆଗରେ ଫୁଲ ତୋଳୁଥିବା ମହିଳା ଯିଏ ହାବୁଡେ ପଡୁଥିଲେ କାହାରି ବେକରେ ସୁନା ଚେନ୍ ଦେଖିଲେ ଛାଡୁ ନଥିଲେ ! ପାହାନ୍ତା ହେଲେ ରାଜଧାନୀ ରାସ୍ତାରେ ଆରମ୍ଭ ହେଉଥିଲା ଏହି କୁଖ୍ୟାତ ଗ୍ୟାଙ୍ଗ୍ର ଅପରେସନ୍! ଦ୍ରୁତଗତିରେ ବାଇକ୍ ଚଳାଇ ଆସୁଥିଲେ, ଆଉ କ୍ଷଣକ ମଧ୍ୟରେ ବେକରୁ ସୁନା ଚେନ୍ ଝାମ୍ପି ନେଇ ଛୁ ମାରୁଥିଲେ । ଭୁବନେଶ୍ୱରର ପହଳା, ବାଲିଅନ୍ତା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଏବଂ କଟକ ସଦର ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ନିଜର ଆତଙ୍କ ଖେଳାଇ ରଖିଥିଲା ।
ଗତ ୪ ମାସ ଧରି କମିଶନରେଟ୍ ପୋଲିସକୁ ନାକେଦମ୍ କରିଥିବା ଏହି ଅନ୍ତର୍ଜିଲ୍ଲା ସୁନା ଚେନ୍ ଛିନତାଇ କରୁଥିବା ଖଣ୍ଡି ହାତ ଗ୍ୟାଙ୍ଗର ଏବେ ପର୍ଦ୍ଦାଫାଶ କରିଛି ଭୁବନେଶ୍ୱର ୟୁପିଡି ପୋଲିସ। ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ସମେତ ମୋଟ ୫ ଜଣଙ୍କୁ କାବୁ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଅଳଙ୍କାର ଓ ଦାମୀ ବାଇକ୍ ଜବତ ହୋଇଛି । ପୋଲିସ ସୁଚନା ମୁତାବକ, ଗତ ଚାରି ମାସ ଧରି ସକ୍ରିୟ ଥିବା ଏହି ଗ୍ୟାଙ୍ଗ୍ ଅତି କମରେ ୧୨ଟି ସୁନା ଚେନ୍ ଛିନତାଇ ଘଟଣାରେ ସମ୍ପୃକ୍ତ ଥିଲା । ତେବେ ଲଗାତାର ସର୍ଭେଲାନ୍ସ ଓ ସ୍ୱତନ୍ତ୍ର ତଦନ୍ତ ପରେ କମିଶନରେଟ୍ ପୋଲିସ ଏହି ପୂରା ଗ୍ୟାଙ୍ଗ୍କୁ କାବୁ କରିବାରେ ସଫଳ ହୋଇଛି । ଏହି ପୂରା ଗ୍ୟାଙ୍ଗ୍କୁ ଚଳାଉଥିଲା ପେସାଦାର ଅପରାଧୀ ଅରୁଣ କୁମାର ସାହୁ । କିଛି ଦିନ ତଳେ ଏକ ବୋମା ବିସ୍ଫୋରଣରେ ଅରୁଣ ନିଜ ଡାହାଣ ହାତର ପାପୁଲି ହରାଇ ବସିଥିଲା। ନିଜେ ସିଧାସଳଖ ଲୁଟ୍ କରିବା ସମ୍ଭବ ନହେବାରୁ, ସେ ଏକ ସୁପରିକଳ୍ପିତ ଗ୍ୟାଙ୍ଗ୍ ତିଆରି କରିଥିଲା।
ଲୁଟ୍ କରିବା ପାଇଁ ମୈଦାନକୁ ଓହ୍ଲାଉଥିଲେ ମିଲା ଓରଫ୍ କିଷାନ ଭୋଇ, ଦୀପୁ ଓରଫ୍ ଦୀପକ ଭଞ୍ଜ ଏବଂ ଜଣେ ନାବାଳକ । ସେମାନେ ସକାଳୁ ସକାଳୁ ଫୁଲ ତୋଳୁଥିବା ମହିଳା ଓ ମର୍ଣ୍ଣିଂ ୱାକରଙ୍କୁ ଟାର୍ଗେଟ୍ କରି ଛିନତାଇ କରୁଥିଲେ। ଆଉ ଚୋରି ସୁନାକୁ ନେଇ ଅରୁଣ ସାହୁ ଓ ଗେଡୁ ଓରଫ୍ ସ୍ୱୟଂଶୁ ସାମଲଙ୍କୁ କମ୍ ଦାମରେ ବିକ୍ରି କରି ମଉଜ ମଜଲିସ୍ କରୁଥିଲେ। ଏପରିକି ଚୋରି ଟଙ୍କାରେ ଅଭିଯୁକ୍ତ କିଷାନ ଭୋଇ ସିଧା କ୍ୟାସ୍ ଦେଇ ଏକ ଦାମୀ Yamaha R15 ବାଇକ୍ ମଧ୍ୟ କିଣିଥିଲା! ଏହି ୫ ଜଣିଆ ଗ୍ୟାଙ୍ଗ୍ ଜାଲରେ ପଡ଼ିବା ପରେ ରାଜଧାନୀବାସୀ ନିଶ୍ଚିତ ଭାବେ କିଛିଟା ଆଶ୍ୱସ୍ତି ପାଇବେ । ତେବେ ରାସ୍ତାଘାଟରେ ଚଳପ୍ରଚଳ ବେଳେ ସଚେତନ ରହିବାକୁ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
