Odia News Portal

ଆଉ ନ ଝଡୁ ଅଦିନେ ଝରାଫୁଲ…..

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ସଠିକ୍ ଭାବେ ପରଦା ହଟି ନଥିବା ସମୟରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ସହଯୋଗୀ କିଏ ଓ ମୃତ୍ୟୁ ପଛର କାରଣ କ’ଣ ଜାଣିବା ପାଇଁ ରାକେଶକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୋଲିସ ।ତେବେ ଅଭିଯୁକ୍ତ ରାକେଶ ବିରୋଧରେ ଲାଗିଛି ଦଫା ୩୦୨ ଅର୍ଥାତ ହତ୍ୟା, ୨୦୧ ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେବା ଏବଂ ଏସସିଏସଟି ଧାରା ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୬ ତାରିଖ ଦିନ ୧୧ଟା ବେଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିଥିଲେ । ହେଲେ ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ସେଠାରୁ ସେ ଓହ୍ଲାଇବା ପରେ ଘରକୁ ଫୋନ କରି ଘରକୁ ଫେରିବା କଥା ଜଣାଇଥିଲେ। ଏବଂ ସେଠାରୁ ସେ ଚାଲିଚାଲି ରୁପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପୂର୍ବରୁ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟିରେ ବସାଇ ବୁଲାବୁଲି କରିବା ପରେ ରାଜଧାନୀର ଧର୍ମବିହାରରେ ଥିବା ଗେଷ୍ଟହାଉସକୁ ନେଇଯାଇଥିଲେ । ଶିବସାଇ ଗେଷ୍ଟ ହାଉସରେ ଝରାଫୁଲଙ୍କ ସହ ରାତି କାଟିଥଲେ ଅଭିଯୁକ୍ତ ରାକେଶ ସ୍ୱାଇଁ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇପଡିଥିଲେ ।

ଏହାପରେ ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟିରେ ବସାଇ ଝରାଫୁଲଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ ରାକେଶ । ହେଲେ ଝରାଫୁଲ ଅଚେତ ହୋଇପଡିଥିବା କଥା ବନ୍ଧୁଙ୍କୁ କହିନଥିଲେ ରାକେଶ । ବରଂ ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହିଥିଲେ । କଟକରୁ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଲା । ପରେ ଘରେ ନେଇ ଛାଡିଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ କିଛି ଲୋକଙ୍କର ସନ୍ଦେହ ହେବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ବନ୍ଧୁଙ୍କୁ ଜଣାଇବା ସହ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।ପୋଲିସ ଆଗରେ ରାକେଶ ଏକଥା ସ୍ୱୀକାର କରିଥିବା ଜଣାପଡ଼ିଛି । ହେଲେ ରାକେଶ କେତେ ସତ କହୁଛି ତାହା ସତ ସାମ୍ନାକୁ ଆସିବା ପରେ ଜଣାପଡ଼ିବ ।

ତେବେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଯିଏ କି ଝରାଫୁଲଙ୍କୁ ଭଲ ପାଉଥିଲେ ସେ କାହିଁକି ତାଙ୍କ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗିଥିଲେ ? ଝରାଫୁଲଙ୍କ ସହିତ ୨୬ ତାରିଖ ରାତିରେ କଣ ହୋଇଥିଲା ? କାହିଁକି ଝରାଫୁଲଙ୍କ ପାଟିରୁ ଫେଣ ବାହାରୁ ଥିଲା? ଏହି ସବୁ ରହସ୍ୟ ଉପରୁ ଏବେ ପର୍ଯ୍ୟନ୍ତ ପରଦା ହଟି ପାରୁନି ।ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଝରାଫୁଲ ମୃତ୍ୟୁ କାରଣ ସ୍ପଷ୍ଟ ହେବ । ଝରାଫୁଲଙ୍କ ରହସ୍ୟଜନକ ମୁତ୍ୟୁରେ ଆସିବାରେ ଲାଗିଛି ନୂଆ ନୂଆ ଥିଓରୀ ।