Odia News Portal

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଅନୁଗୁଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‌ସେ ଏହି ଘୋଷଣା କରିଛନ୍ତି। ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ଶ୍ରୀ ସାହୁ ବିଜେଡି ଛାଡିବା ନେଇ କୌଣସି କାରଣ ଲେଖିନାହାଁନ୍ତି।

ସୂଚନାଯୋଗ୍ୟ ସଞ୍ଜୀବ ସାହୁ ବିଜେଡିରୁ ୪ ଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୦୦୩ ବୀରମହାରାଜପୁର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବୈଷ୍ଣବ ପ୍ରଧାନଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ପରାସ୍ତ କରି ପ୍ରଥମ ଥର ବିଧାନସଭାରେ ପାଦ ରଖିଥିଲେ ।  ଏହାପରେ ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ବୀରମହାରାଜପୁର ଟିକେଟ୍ ଦେଇଥିଲା। ଏହି ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କୁ ପରାସ୍ତ କରି ବିଧାନସଭାକୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ତେବେ ୨୦୦୪ରେ ସଂଜୀବ ସାହୁ ବିଜ୍ଞାନ, କାରିଗର, ମାଧ୍ୟମିକ ଶିକ୍ଷା ଓ ବାଣିଜ୍ୟ ଏବଂ ପରିବହନ ବିଭାଗରେ ମନ୍ତ୍ରୀ ପଦ ପାଇଥିଲେ। ୨୦୦୯ ଓ ୨୦୧୪ରେ ସେ ଆଠମଲ୍ଲିକ ଆସନରୁ ଲଢି ବିଜୟୀ ହୋଇଥିଲେ। ହେଲେ ବିଜେଡି ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା। ଆଉ ଆଜି ସେ ଦଳର ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।