Odia News Portal

ସେବାୟତଙ୍କୁ ମାଗଣା ଟିକା ଦେବାକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଅନୁରୋଧ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ଚିଠିରେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାରକୁ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଆଜିଠାରୁ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ଦିଆଯାଇଛି ।

ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଆସୁଥିବାରୁ କୋଭିଡ୍ ସଂକ୍ରମଣ ନେଇ ଆଶଙ୍କା ରହିଛି ।ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେ ନିମନ୍ତେ ସମସ୍ତ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ ଟିକା ପ୍ରଦାନ କରିବାକୁ ମୁଖ୍ୟ ପ୍ରଶାସକ ପ୍ରସ୍ତାବ ଦେଇଛନ୍ତି | ଏଥି ସହିତ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୫୦୦ କର୍ମଚାରୀଙ୍କୁ ମଧ୍ୟ ଟିକା ଦେବାକୁ ଅନୁରୋଧ କରାଯାଇଛି।

ତେବେ ମହାପ୍ରଭୁଙ୍କ ଦର୍ଶନ ଲାଗି ଆଜିଠାରୁ ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଦୀର୍ଘ ୯ ମାସ ଧରି କାଳିଆ ସାଆନ୍ତକୁ ଟିକେ ଦେଖିବାକୁ ଛଟପଟ ହେଉଥିବା ଭକ୍ତ ଆଜି ନିର୍ବିଘ୍ନରେ କରିଛନ୍ତି ମହାପ୍ରଭୁଙ୍କ ଦର୍ଶନ । ତେଣୁ ଶ୍ରୀମନ୍ଦିରରେ ଭିଡ଼ ବଢ଼ିଛି। ଧାଡ଼ି ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍ ଛକରୁ ବାରିକେଡ୍ କରାଯାଇଛି। ସିଂହଦ୍ୱାର ନିକଟରେ ଥର୍ମାଲ୍ ସ୍କାନିଂ, ସାନିଟାଇଜର ଆଦିର ବ୍ୟବସ୍ଥା କରାଯାଇଛି।

ତେବେ ଥର୍ମାଲ ସ୍କ୍ରିନିଂ ବେଳେ ଯଦି କୌଣସି ଭକ୍ତଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ରହିବ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରାଥମିକ ପର୍ଯ୍ୟାୟରେ ଦୈନିକ ୩୦ ହଜାର ଭକ୍ତଙ୍କ ପାଇଁ ଦର୍ଶନ କରାଇବା ବ୍ୟବସ୍ଥା କରାଯାଇଛି। ସେହିଭଳି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।