ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ପରେ ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଛି। ରାଜ୍ୟ ସରକାର ତାଙ୍କ ସୁରକ୍ଷାକୁ Z+ ଶ୍ରେଣୀରୁ ହଟାଇ Y ଶ୍ରେଣୀକୁ ଖସାଇ ଦେଇଛନ୍ତି। ସୌରଭ ଗାଙ୍ଗୁଲି ବର୍ତ୍ତମାନ ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୩ ମସିହାରେ ତତ୍କାଳୀନ ସରକାର ତାଙ୍କୁ Z ଶ୍ରେଣୀର ସୁରକ୍ଷା ପ୍ରଦାନ କରିଥିଲେ। ସେତେବେଳେ ତାଙ୍କ ସୁରକ୍ଷାରେ ପ୍ରାୟ ୩୦ରୁ ୩୫ ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିଲେ।
ସୁରକ୍ଷା ହ୍ରାସକୁ ନେଇ ଚର୍ଚ୍ଚା ବଢ଼ିବା ପରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ସୁରକ୍ଷା ଏଜେନ୍ସିମାନଙ୍କ ମୂଲ୍ୟାଙ୍କନ ଆଧାରରେ ଯେଉଁମାନଙ୍କ ପ୍ରତି ବାସ୍ତବ ଧମକ ରହିଛି, ସେମାନଙ୍କୁ ମାତ୍ର ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯିବ। ସମୀକ୍ଷା ପରେ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୁନଃ ଆକଳନ କରାଯାଇ ଏହି ପରିବର୍ତ୍ତନ କରାଯାଇଛି।
ସୂଚନାଯୋଗ୍ୟ, Z+ ଶ୍ରେଣୀରେ ପ୍ରାୟ ୩୬ ଜଣ ସୁରକ୍ଷାକର୍ମୀ ନିୟୋଜିତ ରହୁଥିବା ବେଳେ Y ଶ୍ରେଣୀରେ ଏହି ସଂଖ୍ୟା ହ୍ରାସ ପାଇ ପ୍ରାୟ ୧୧ ଜଣକୁ ଆସିଥାଏ। ଏଥିରେ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ସାମିଲ ରହନ୍ତି।
ଭାରତୀୟ କ୍ରିକେଟ୍ ଇତିହାସର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ସୌରଭ ଗାଙ୍ଗୁଲି ଅବସର ପରେ ମଧ୍ୟ କ୍ରିକେଟ୍ ପ୍ରଶାସନରେ ସକ୍ରିୟ ରହିଛନ୍ତି। ସେ ପୂର୍ବରୁ ବିସିସିଆଇର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
