Odia News Portal

ମହିଳା ବିଶ୍ୱକପ ଟି-୨୦; ୬ ରନରେ ହାରିଲା ଇଂଲଣ୍ଡ, ଫାଇନାଲରେ ଦକ୍ଷିଣଆଫ୍ରିକା-ଅଷ୍ଟ୍ରେଲିଆ

ଗ୍ରୁପ୍‌-୨ରେ ଅପରାଜେୟ ଇଂଲଣ୍ଡ ଏବଂ ଗ୍ରୁପ୍‌-୧ରେ ୨ ଲେଖାଏ ବିଜୟ ଓ ପରାଜୟ ସହ ଦ୍ବିତୀୟ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌। ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୬ ରନ୍‌ରେ ପରାସ୍ତ କରି ଆୟୋଜକ ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଲା। ଆୟାବୋଙ୍ଗା ଖାକା (୪-୦-୨୯-୪) ଏବଂ ସବ୍‌ନିମ ଇସ୍‌ମାଇଲ (୪-୦-୨୭-୩) ଚମତ୍କାର ବୋଲିଂ କରି ଦକ୍ଷିଣ ଆଫ୍ରିକା ବିଜୟର କର୍ଣ୍ଣଧାର ସାଜିଥିଲେ। ଅବଶିଷ୍ଟ ୱିକେଟ୍‌ଟି ନାଦିନେ ଡି କ୍ଲେର୍କଙ୍କୁ ମିଳିଥିଲା। ଫଳରେ ଉତ୍କଣ୍ଠାପୂର୍ଣ୍ଣ ପ୍ରଥମ ସେମିଫାଇନାଲ୍‌ରେ ଭାରତକୁ ପରାସ୍ତ କରିଥିବା ଗତଥରର ବିଜେତା ଅଷ୍ଟ୍ରେଲିଆକୁ ରବିବାର ଫାଇନାଲ୍‌ରେ ଭେଟିବ ଘରୋଇ ଦଳ। ଆୟୋଜକ ଭାବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ତୃତୀୟ ତୃତୀୟ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲା। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲ୍‌ ପହଞ୍ଚିଛି।

ଶୁକ୍ରବାର ସେମିଫାଇନାଲ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍‌ନର ଲୌରା ଉଲ୍‌ଭାର୍ଟ (୫୩ ରନ୍‌, ୪୪ ବଲ୍‌, ୫ ଚୌକା, ୧ ଛକା) ଏବଂ ତମିନ ବ୍ରିଟ୍‌ସ (୬୮ ରନ୍‌, ୫୫ ବଲ୍‌, ୬ ଚୌକା, ୨ ଛକା) ଦମ୍‌ଦାର ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ମଧ୍ୟ ପ୍ରଥମ ୱିକେଟ୍‌ରେ ୧୩.୪ ଓଭର ଖେଳି ୯୬ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଉଲ୍‌ଭାର୍ଟଙ୍କୁ ଆଉଟ୍‌ କରି ସୋଫି ଏସ୍‌ଲେଷ୍ଟୋନ ଯୋଡ଼ି ଭାଙ୍ଗିବା ପରେ ଦକ୍ଷିଣ ଆଫ୍ରିକାର ରନ୍‌ ଗତି ହ୍ରାସ ପାଇଥିଲା। ତଥାପି ୧୩ ବଲ୍‌ରୁ ୪ ଚୌକା ସହାୟତାରେ ମାରିଜାନେ କାପ୍‌ ଅପରାଜିତ ୨୭ ରନ୍‌ କରିବାରୁ ଦଳ ୧୬୪/୪ରେ ପାଳି ଶେଷ କରିଥିଲା। ହେଲେ ଏକ ସମୟରେ ୧୪୨/୧ର ଦୃଢ଼ ସ୍ଥିତିରେ ରହିଥିବା ଦକ୍ଷିଣ ଆଫ୍ରିକା ୬ ବଲ୍‌ ମଧ୍ୟରେ ୩ ରନ୍‌ରେ ୩ ୱିକେଟ୍‌ ହରାଇବାରୁ ସଂଘର୍ଷ କରିଥିଲା। କିନ୍ତୁ ଇଂଲଣ୍ଡର ମୁଖ୍ୟ ବୋଲର କାଥେରିନ୍‌ ସିଭର ବ୍ରଣ୍ଟ୍‌ଙ୍କ ଶେଷ ଓଭରରୁ ୧୮ ରନ୍‌ ଆଦାୟ କରି କାପ୍‌ ଦଳକୁ ସମ୍ମାନଜନକ ସ୍କୋର୍‌ ପ୍ରଦାନ କରିଥିଲେ। ଅଧିନାୟିକା ସୁନେ ଲୁସ୍‌ (୩* ରନ୍‌, ୪ ବଲ୍‌)ଙ୍କୁ ସାଥୀ କରି କାପ୍‌ ଶେଷ ୮ ବଲ୍‌ରୁ ୧୯ ରନ୍‌ ଆଦାୟ କରିଥିଲେ। ଇଂଲଣ୍ଡ ପକ୍ଷରୁ ଏସ୍‌ଲେଷ୍ଟୋନ ୪ ସଭରରେ ୨୨ ରନ୍‌ ବ୍ୟୟ କରି ସର୍ବାଧିକ ୩ ୱିକେଟ୍‌ ପାଇଥିଲା ବେଳେ ଲୌରେନ ବେଲ୍‌ଙ୍କୁ ଅବଶିଷ୍ଟ ୱିକେଟ୍‌ଟି ମିଳିଥିଲା।

ଜବାବରେ ଡାନି ୱାଟ୍‌ (୩୪ ରନ୍‌, ୩୦ ବଲ୍‌, ୬ ଚୌକା) ଏବଂ ସୋଫିଆ ଡଙ୍କ୍‌ଲେ (୨୮ ରନ୍‌, ୧୬ ବଲ୍‌, ୬ ‌ଚୌକା) ଆରମ୍ଭରୁ ଓଭର ପିଛା ୧୦ରୁ ଅଧିକ ରନ୍‌ ସଂଗ୍ରହ କରି ଇଂଲଣ୍ଡ ପାଇଁ ଦୃଢ଼ ମୁଳଦୁଆ ପକାଇଥିଲେ। ଦୁହେଁ ପ୍ରଥମ ୱିକେଟ୍‌ରେ ୫ ଓଭରରୁ ୫୩ ରନ୍ ଯୋଡ଼ିବା ପ‌ରେ ଷଷ୍ଠ ଓଭରର ପ୍ରଥମ ବଲ୍‌ରେ ଇସ୍‌ମାଇଲ ଯୋଡ଼ି ଭାଙ୍ଗିଥିଲେ। ଇସ୍‌ମାଇଲ ମଧ୍ୟ ଏହି ଓଭରର ତୃତୀୟ ବଲ୍‌ରେ ଆଲିସେ କାପ୍‌ସେ (୦)ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଚାପରେ ପକାଇ ଦେଇଥିଲେ। ଏହାପରେ ନାଟ୍‌ ଶ୍ଚିଭର ବ୍ରଣ୍ଟ୍‌ (୪୦ ରନ୍‌, ୩୪ ବଲ୍‌, ୫ ଚୌକା) ଏବଂ ଅଧିନାୟିକା ହିଦର ନାଇଟ୍‌ (୩୧ ରନ୍‌, ୨୫ ବଲ୍‌, ୨ ଛକା‌) ମଝିରେ ଲଢ଼ିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ହିଦରଙ୍କୁ ଆଉଟ୍‌ କରି ଇସ୍‌ମାଇଲ ଦକ୍ଷିଣ ଆଫ୍ରିକାକୁ ସମ୍ଭାବନା ଦେଇଥିଲା ବେଳେ ନିଜର ଶେଷ ତଥା ପାଳିର ୧୮ତମ ଓଭରରେ ୩ ରନ୍‌ ବ୍ୟୟ କରି ୩ ୱିକେଟ୍‌ ଝଟ୍‌କାଇ ଖାକା ବିଜୟ ସୁନିଶ୍ଚିତ କରିଥିଲେ। ସେ ଆମି ଜୋନ୍‌ସ, ଏସ୍‌ଲେଷ୍ଟୋନ ଏବଂ ବ୍ରଣ୍ଟ୍‌ଙ୍କୁ ଶିକାର କରିଥିଲେ। ଶେଷରେ ଇଂଲଣ୍ଡ ୧୫୮/୮ରେ ଅଟକି ଯାଇଥିଲା। ୬୮ ରନ୍‌ ଏବଂ ୪ କ୍ୟାଚ୍‌ ନେଇଥିବା ବିଜୟୀ ଦଳର କାମିନ ବ୍ରିଟ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।