Odia News Portal

ରହସ୍ୟ ଘେରରେ ଝରାଫୁଲଙ୍କ ମୃତ୍ୟୁ

ଯାଜପୁର: ରାସ୍ତା କଡ଼ରୁ ମିଳିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ | ରାଜଧାନୀର ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଲେ ଦୁଇ ଯୁବକ। ଆଜି ଏହିପରି ଏକ ଲୋମହର୍ଷକ ଘଟଣା ଯାଜପୁର ଜିଲ୍ଲାରୁ ଆସିଛି। ଯାହା ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ୍‌ରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ବସାଇ ଛାତ୍ରୀଙ୍କୁ ନେଉଥିବା ଦେଖିବାକୁ ମିଳିଛି । ଜଣେ ଯୁବକ ଗାଡି ଚଲାଉଥିବା ବେଳେ ଆଉ ଜଣେ ଯୁବକ ମୃତ ଛାତ୍ରୀଙ୍କୁ ଧରି ବସିଥିବାର ସିସିଟିଭି ଫୁଟେଜ୍‌ରେ ରହିଛି । ଯାହାକୁ ଆଧାର କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ମୃତଦେହ ପାଖରେ ଏକ ବ୍ୟାଗ୍ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଛାତ୍ରୀଙ୍କ ମୃତ୍ୟୁ କିପରି ହେଲା ସେନେଇ କୌଣସି ସୂଚନା ମିଳିପାରିନଥିବା ସମୟରେ ମୃତ ଛାତ୍ରୀଙ୍କ ପରିଚୟ ମିଳିଛି । ତେବେ ମୃତ ଛାତ୍ରୀ ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ତରୁଣ୍ଡେଇ ପଶୀ ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ଜଣାପଡିଛି । ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଗତ ୨୪ ତାରିଖ ଦିନ ସେ ଘରୁ ବସ୍ ଯୋଗେ ଭୁବନେଶ୍ୱର ଯାଇଥିଲେ ।ତେବେ ବୁଧବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଛାତ୍ରୀଙ୍କୁ କିଏ ଓ କାହିଁକି ହତ୍ୟା କଲା, ଏଠାରେ ତାଙ୍କ ମୃତଦେହ କିଏ ପକେଇଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।