Odia News Portal

ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୨ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା, ସୁରେଶ ମହାପାତ୍ର ୧୯୮୮ ମସିହାରେ ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ସେ ଏକାଧିକ ବାର କାର୍ଯ୍ୟ ତୁଲାଇଥିବା ବେଳେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା ।

ଶ୍ରୀ ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ତେବେ ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ୍‌ ଦାୟିତ୍ୱ ତୁଲାଇବେ। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ ।